ଓଡିଶା

odisha

ଶୀତରୁ ରକ୍ଷା ପାଇବ ଆଫଗାନିସ୍ତାନ, 50 ମିଲିୟନ ପାଉଣ୍ଡ ସହାୟତା ଦେଲା ବ୍ରିଟେନ

By

Published : Oct 31, 2021, 10:44 PM IST

ଆଫଗାନିସ୍ତାନ ପାଇଁ 50 ମିଲିୟନ ପାଉଣ୍ଡର ଆର୍ଥିକ ସହାୟତା ରାଶି ଘୋଷଣା କଲା ବ୍ରିଟେନ। ଜି- 20 ସମ୍ମିଳନୀରେ ଘୋଷଣା କଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ। ଅଧିକ ପଢନ୍ତୁ...

ଆଫଗାନିସ୍ତାନକୁ ବ୍ରିଟେନର 50 ମିଲିୟନ ପାଉଣ୍ଡର ଆର୍ଥକ ସହାୟତା
ଆଫଗାନିସ୍ତାନକୁ ବ୍ରିଟେନର 50 ମିଲିୟନ ପାଉଣ୍ଡର ଆର୍ଥକ ସହାୟତା

ଲଣ୍ଡନ: ଆଫଗାନିସ୍ତାନ ପାଇଁ 50 ମିଲିୟନ ପାଉଣ୍ଡର ଆର୍ଥିକ ସହାୟତା ରାଶି ଘୋଷଣା କଲା ବ୍ରିଟେନ। ତାଲିବାନ ଶାସନରେ ଆଫଗାନିସ୍ଥାନର ମହିଳା ବିଶେଷ ଭାବେ କ୍ଷତିଗ୍ରସ୍ଥ ହୋଇଥିବାବେଳେ ସେମାନଙ୍କ ପାଇଁ 50 ମିଲିୟନ ପାଉଣ୍ଡ ଅର୍ଥାତ 68.42 ମିଲିୟନ ଡ଼ଲାରର ଏହି ଆର୍ଥିକ ସହାୟତା ଘୋଷଣା କରିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ।

(ଆଜି) ରବିବାର ଟ୍ବିଟରରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଆମର ସମସ୍ତ ଆନ୍ତର୍ଜାତୀୟ ବିକାଶ ପ୍ରୟାସରେ ମହିଳା ଏବଂ ନାବାଳିକାଙ୍କ ଅଧିକାରକୁ ପ୍ରାଥମିକତା ଦେବାର ଆବଶ୍ୟକତା ରହିଛି । ସେଥିପାଇଁ ବ୍ରିଟେନ ସରକାର ଆଫଗାନିସ୍ତାନକୁ ଏହି ଆର୍ଥିକ ସହାୟତା ପ୍ରଦାନ କରିବାର ନିଷ୍ପତ୍ତି ନେଇଛନ୍ତି । ତେବେ ରୋମରେ ଜି-20 ସମ୍ମିଳନୀ ଜାରି ରହିଥିବାବେଳେ ଏହି ଘୋଷଣା କରିବା ସହ ଜି -20 ସଦସ୍ୟ ରାଷ୍ଟ୍ରଙ୍କୁ ମଧ୍ୟ ସହଯୋଗର ହାତ ବଢାଇବାକୁ ସେ ଅନୁରୋଧ ମଧ୍ୟ କରିଛନ୍ତି ଜନସନ ।

ବ୍ରିଟେନର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ବିବୃତ୍ତିରେ କହିଛି ଯେ, ଅଢେଇ ଲକ୍ଷ ଆଫଗାନିସ୍ତାନ ଗୃହଯୁଦ୍ଧରେ ଗଭୀର ଭାବେ ପ୍ରଭାବିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ମହିଳା ଏବଂ ନାବାଳିକା ରହିଥିବା ତଥ୍ୟରୁ ଜଣାପଡିଛି । ବ୍ରିଟେନ ଦ୍ବାରା ପ୍ରଦାନ କରାଯିବାକୁ ଥିବା ଏହି ଆର୍ଥିକ ସହାୟତା ସେମାନଙ୍କୁ ଜରୁରୀ ସେବା ଯୋଗାଇବାରେ ବେଶ ସହାୟକ ହେବ। ଗତ ସେପ୍ଟେମ୍ବରରେ ଆଫଗାନିସ୍ତାନକୁ ବ୍ରିଟେନ 286 ମିଲିୟନ ଡ଼ଲାର ସହାୟତା ପ୍ରଦାନ କରିବା ନେଇ ଘୋଷଣା କରିଥିଲା । ତେବେ ଏହି ସହାୟତା ସେହି ଘୋଷଣାନାମାର ଏକ ଅଂଶ ବୋଲି ବ୍ରିଟେନ କହିଛି। ଏହି ସହାୟତା ଅର୍ଥରାଶି ମିଳିତ ଜାତିସଂଘ ଏଜେନ୍ସି ଏବଂ ରେଡକ୍ରସର ଅନ୍ତର୍ଜାତୀୟ କମିଟି ମାଧ୍ୟମରେ ଆଫଗାନିସ୍ତାନକୁ ହସ୍ତାନ୍ତର କରାଯିବା ନେଇ ବ୍ରିଟେନ ସରକାର ସ୍ପଷ୍ଟ କରିଛି ।

ଏହି ଘୋଷିତ ସହାୟତା ରାଶି ଆଫଗାନିସ୍ତାନରେ ଶୀତ ଋତୁରେ ପୁଷ୍ଟିକର ଖାଦ୍ୟ, ଆଶ୍ରୟ ଏବଂ ଔଷଧର ପରି ଜରୁରୀ ସାମଗ୍ରୀର ଆବଶ୍ୟକତାକୁ ପୂରଣ କରିବା ଦିଗରେ ବ୍ୟୟ କରିବା ନେଇ ପ୍ରାଥମିକତା ଦିଆଯିବ ବୋଲି ବ୍ରିଟେନ ସରକାର ଉଲ୍ଲେଖ କରିଛନ୍ତି। ଆଫଗାନିସ୍ତାନରେ ଗଣତାନ୍ତ୍ରିକ ସରକାରର ପତନ ଏବଂ ତାଲିବାନ ଦ୍ବାରା କ୍ଷମତା ହାସଲ ପରେ ବର୍ତ୍ତମାନ ଦେଶର ମୋଟ ଜନସଂଖ୍ୟାର ଅଧା ବା 18 ନିୟୁତ ନାଗରିକ ଗଭୀର ଭାବେ ପ୍ରଭାବିତ ହୋଇଛନ୍ତି ବିଭିନ୍ନ ଆନ୍ତର୍ଜାତୀୟ ସସ୍ଥା ରିପୋର୍ଟରୁ ଜଣାପଡିଛି । ଏନେଇ ଜାତିସଂଘ ଆଫଗାନିସ୍ତାନରେ ପ୍ରଭାବିତ ମହିଳାଙ୍କ ସୁରକ୍ଷାକୁ ନେଇ ଉଦବେଗ ପ୍ରକାଶ କରିଥିଲେ।

@ANI

ABOUT THE AUTHOR

...view details