ଚେନ୍ନାଇ:ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ପୁଅ ଉଦୟନିଧି ଷ୍ଟାଲିନଙ୍କୁ ମନ୍ତ୍ରୀ ପଦ ମିଳିଛି । ଆସନ୍ତାକାଲି(ବୁଧବାର) ଜୁନିଅର ଷ୍ଟାଲିନ ନିଜ ବାପାଙ୍କ ନେତୃତ୍ବାଧୀନ କ୍ୟାବିନେଟରେ ନୂଆ ମନ୍ତ୍ରୀ ଭାବେ ଶପଥ ନେବେ(Udhayanidhi To Be Sworn In As TN Minister) । ବୁଧବାର ଦିନ ସାଢେ ୯ଟା ସମୟରେ ରାଜଭବନର ଦରବାର ହଲ୍ରେ ଏହି ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ । ଏନେଇ ଗତକାଲି ତାମିଲନାଡୁ ରାଜଭବନ ପକ୍ଷରୁ ସୂଚନା ଦିଆଯାଇଛି ।
୪୫ ବର୍ଷୀୟ ଉଦୟନିଧି ଷ୍ଟାଲିନ(Udhayanidhi Stalin) ଜଣେ ତାମିଲ ଅଭିନେତା ସଙ୍ଗେସଙ୍ଗେ ଫିଲ୍ମମେକର ମଧ୍ୟ ଅଟନ୍ତି । ୨୦୨୧ରେ ଉଦୟନିଧି ଚେପକ୍ ଥିରୁବଲ୍ଲିକେନି(Chepauk-Tiruvallikeni Constituency) ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ତାଙ୍କୁ ମନ୍ତ୍ରୀ ପରିଷଦରେ ସାମିଲ କରିବାକୁ ଡିଏମକେ ପାର୍ଟି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ରାଜ୍ୟପାଳ ଆର ଏନ ରବିଙ୍କୁ ସୁପାରିଶ କରିଥିଲେ । ରାଜ୍ୟପାଳ ଏହାକୁ ଅନୁମୋଦନ କରିଛନ୍ତି । ଡିସେମ୍ବର ୧୪ ଅର୍ଥାତ୍ ଆସନ୍ତାକାଲି ଜୁନିଅର ଷ୍ଟାଲିନ ମନ୍ତ୍ରୀ ଭାବେ ଶପଥ ନେବେ । ଦଳର ବରିଷ୍ଠ ନେତାମାନେ ମଧ୍ୟ ଏହି ନିଷ୍ପତ୍ତିକୁ ଖୋଲା ସମର୍ଥନ କରିଛନ୍ତି ।