ନୂଆଦିଲ୍ଲୀ:ତ୍ରିକୋଣୀୟ ପ୍ରେମରୁ ବୀଭତ୍ସ ହତ୍ୟା । ପ୍ରେମିକାର ଫଟୋ ଡିଲିଟ୍ ନ କରିବାରୁ ଯୁବକଙ୍କୁ ଗଳାଚିପି ହତ୍ୟା କରିବା ପରେ ନାଳରେ ଫିଙ୍ଗିଲା ଅନ୍ୟ ପ୍ରେମିକ । ରାଜଧାନୀ ଦିଲ୍ଲୀରୁ ତ୍ରିକୋଣୀୟ ପ୍ରେମର ଏଭଳି କରୁଣ ପରିଣତି ସାମ୍ନାକୁ ଆସିଛି । ପ୍ରେମିକାର ଅନ୍ୟ ଜଣେ ଯୁବକଙ୍କ ସହ ମିଳାମିଶାକୁ ସହି ନପାରି ପ୍ରେମିକ ତାଙ୍କୁ ହତ୍ୟା କରିଥିବା ଜଣାପଡିଛି । ବଡ କଥା ହେଉଛି, ଅଭିଯୁକ୍ତ ଯୁବକଙ୍କୁ ହତ୍ୟା କରିବା ପରେ କାର୍ରେ ମୃତଦେହ ରଖି ଦୁଇ ଘଣ୍ଟା କାଳ ଦିଲ୍ଲୀ ରାଜରାସ୍ତାରେ ବୁଲିଥିଲା । ହେଲେ ଏ ସମ୍ପର୍କରେ ପୋଲିସ ସାମାନ୍ୟତମ ସୁରାକ ନ ପାଇବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଶେଷରେ ନାଳରୁ ମୃତଦେହ ମିଳିବା ପରେ ପୁରା ଘଟଣା ସାମ୍ନାକୁ ଆସିଛି ।
ସୂଚନା ଅନୁଯାୟୀ, ଦିଲ୍ଲୀର ବିଷ୍ଣୁ ନାମକ ଯୁବକ ରାଜସ୍ଥାନ ଚୁରର ଜଣେ ଯୁବତୀଙ୍କୁ ଭଲ ପାଉଥିଲେ(Love Affair With Rajasthan Girl) । ସେହି ଯୁବତୀଙ୍କୁ ରାଜସ୍ଥାନର ସଞ୍ଜୟ ବୁଚା ମଧ୍ୟ ପ୍ରେମ କରୁଥିଲେ । ତେଣୁ ଯୁବତୀଙ୍କୁ ସହ ବିଷ୍ଣୁଙ୍କ ମିଳାମିଶାକୁ ସହ୍ୟ କରିପାରୁନଥିଲେ ସଞ୍ଜୟ । ଯୁବତୀ ଅନେକ ସମୟରେ ବିଷ୍ଣୁଙ୍କୁ ଦେଖା କରିବାକୁ ଦିଲ୍ଲୀ ଆସୁଥିଲେ । ସେପଟେ ତାଙ୍କ ପ୍ରେମିକା ସହ ସମ୍ପର୍କ ନ ରଖିବାକୁ ସଞ୍ଜୟ ବାରମ୍ବାର ଯୁବକଙ୍କୁ ମନା କରୁଥିଲେ । କିନ୍ତୁ ବିଷ୍ଣୁ ନ ଶୁଣିବାରୁ ତାଙ୍କୁ ରାସ୍ତାରୁ ହଟାଇବା ପାଇଁ ନିଜ ସାଙ୍ଗ ସହ ମିଶି ଷଡଯନ୍ତ୍ର ରଚିଥିଲା ସଞ୍ଜୟ ।