ଲକ୍ଷ୍ନୌ:ଭାରତୀୟ ଯବାନଙ୍କ ବିରୋଧରେ ଆସିଲା ସଙ୍ଗୀନ ଅଭିଯୋଗ । ୩ ଯବାନ ଉତ୍ତରପ୍ରଦେଶ ବିରାଙ୍ଗନା ମହାରାଣୀ ଲକ୍ଷ୍ମୀ ବାଈ ରେଲୱେ ଷ୍ଟେସନରେ ୨ ମହିଳାଙ୍କୁ ଦୁଷ୍କର୍ମ କରିଥିବା ନେଇ ଆସିଛି ଅଭିଯୋଗ । ଘଟଣା ସମ୍ପର୍କରେ ଖବର ପାଇବା ପରେ ସ୍ଥାନୀୟ ପୋଲିସ ଓ ଜିଆରପି ଟିମ୍ ଅଭିଯୁକ୍ତ ଯବାନ ଓ ପୀଡ଼ିତାଙ୍କୁ ହେପାଜତକୁ ନେଇଛି । ସେମାନଙ୍କୁ ଅଧିକ ପଚରାଉଚରା କରାଯିବ ବୋଲି କହିଛି ପୋଲିସ । ସେପଟେ ମହିଳା ୨ ଜଣ ବଗି ମଧ୍ୟକୁ ପ୍ରବେଶ କରି ମୋବାଇଲ ଚୋରି କରୁଥିବା ପାଲଟା ଅଭିଯୋଗ ଆଣିଛନ୍ତି ଅଭିଯୁକ୍ତ ଯବାନ ।
ଲକ୍ଷ୍ମୀବାଈ ରେଲୱେ ଷ୍ଟେସନରେ ପ୍ଲାଟଫର୍ମରେ ଛିଡ଼ା ହୋଇଥିବା ଟ୍ରେନରେ ରବିବାର ସନ୍ଧ୍ୟା ବେଳେ ମହିଳାଙ୍କୁ ଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ ଆସିଛି । ପୀଡିତା ଦ୍ବୟ ୧୧୨କୁ କଲ୍ କରି ଯବାନ ବିରୋଧରେ ଅଭିଯୋଗ କରିବା ସହ ସାହାଯ୍ୟ ମାଗିଥିଲେ । କଲ୍ ମିଳିବା ମାତ୍ର ଜିଆରପି ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଛି । ଏହାସହିତ ମାମଲା ଗମ୍ଭୀର ହୋଇଥିବାରୁ ଭାରତୀୟ ସେନା ଅଧିକାରୀଙ୍କୁ ମଧ୍ୟ ଏ ନେଇ ସୂଚିତ କରାଯାଇଛି । ସେନାର ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ପଚରାଉଚରା ଆରମ୍ଭ କରିଛନ୍ତି ।