ହାଇଦ୍ରାବାଦ:ଭାରତ ନେପାଳ ସୀମାରେ 2 ଅନୁପ୍ରବେଶକାରୀ ଗିରଫ । ପଶ୍ଚିମବଙ୍ଗର ସିଲିଗୁଡିରେ ଭାରତ-ନେପାଳ ସୀମାରେ ଅନୁପ୍ରବେଶ ବେଳେ ଦୁଇ ବିଦେଶୀ ନାଗରିକଙ୍କୁ ଗିରଫ କରିଛି ସୁରକ୍ଷାବଳ । ସେମାନଙ୍କ ନିକଟରୁ ନକଲି ଭାରତୀୟ ପରିଚୟପତ୍ର ମଧ୍ୟ ଜବତ କରାଯାଇଛି (trespassers arrested on Indo Nepal border)। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ନ୍ୟୁଜିଲାଣ୍ଡ ଓ ଅନ୍ୟଜଣେ ପଡୋଶୀ ବାଂଲାଦେଶର ନାଗରିକ ବୋଲି ସୁରକ୍ଷାକର୍ମୀ ସୂଚନା ଦେଇଛନ୍ତି । ଉଭୟଙ୍କୁ ଗିରଫ କରାଯାଇ ଜେରା ଜାରି ରହିଥିବା ସୂଚନା ମିଳିଛି ।
ପୋଲିସ ଦେଇଥିବା ତଥ୍ୟ ଅନୁସାରେ, ସେମାନେ ଭାରତରେ ଅନୁପ୍ରବେଶ କରିବା ପୂର୍ବରୁ ସମସ୍ତ ପ୍ରସ୍ତୁତି କରିଥିଲେ । ଆଧାର କାର୍ଡ ସମେତ ଏକାଧିକ ନକଲି ଭାରତୀୟ ପରିଚୟପତ୍ର ମଧ୍ୟ ପ୍ରସ୍ତୁତ କରିଥିଲେ । ହେଲେ ଆଜି (ସୋମବାର) ଭାରତ-ନେପାଳ ଅନ୍ତର୍ଜାତୀୟ ସୀମାର ସିଲିଗୁଡି ଅଧୀନ ପାନିଟାଙ୍କୀ ନିକଟରେ ସୀମା ଅତିକ୍ରମ କରି ପ୍ରବେଶ ଉଦ୍ୟମ କରିଥିଲେ । ସନ୍ଦେହ ହେବାରୁ ସେହି ସମୟରେ ସେଠାରେ ସୁରକ୍ଷା ଦାୟିତ୍ବରେ ଥିବା ସୁରକ୍ଷାକର୍ମୀ ସେମାନଙ୍କୁ ଯାଞ୍ଚ କରିବା ପରେ ସତ ଜଣାପଡିଥିଲା । ପରେ ଉଭୟଙ୍କୁ ଗିରଫ କରି ସ୍ଥାନୀୟ ପୋଲିସକୁ ହସ୍ତାନ୍ତର କରିଥିଲା ସୁରକ୍ଷାବଳ (trespassers arrested on Indo Nepal border)।