ଶିମଲା: ହିମାଚଳ ପ୍ରଦେଶର ମନାଲି-ଲେହ ଜାତୀୟ ରାଜପଥରେ ଦୁଇ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି । ଅମ୍ଳଜାନ ଅଭାବରୁ ଉଭୟ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ସ୍ଥାନୀୟ ଲାହଲ ପୋଲିସ ଏ ସମ୍ପର୍କରେ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା । ଉଭୟ ମୃତଦେହକୁ ଜବତ କରି ପୋଲିସ ବ୍ଯବଚ୍ଛେଦ ପାଇଁ ନିକଟସ୍ଥ କିଲୋଙ୍ଗ ହସ୍ପିଟାଲକୁ ପଠାଇଥିଲା । ତେବେ ଉଭୟଙ୍କ ମୃତ୍ୟୁ ଅକ୍ସିଜେନ ଅଭାବରୁ କିମ୍ବା ଅନ୍ୟ କୌଣସି ସ୍ବାସ୍ଥ୍ୟଗତ ସମସ୍ୟାରୁ ହୋଇଛି, ସେନେଇ ଔପଚାରିକ ଭାବେ କିଛି ସ୍ପଷ୍ଟ ହୋଇନି । ତଦନ୍ତ ଓ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁ ସମ୍ପର୍କିତ ପ୍ରକୃତ କାରଣ ସ୍ପଷ୍ଟ ହେବା ନେଇ ସ୍ଥାନୀୟ ପ୍ରଶାସନ କହିଛି ।
ଦୁଇ ମୃତକଙ୍କ ନାମ ଆଦିତ୍ୟ ଏବଂ କବାଲା ସିଂ ବୋଲି ଜଣାପଡିଛି । 32 ବର୍ଷୀୟ ଆଦିତ୍ୟ ହରିୟାଣାର ଫତେହାବାଦ ଜିଲ୍ଲାର ବାସିନ୍ଦା । ସାରଚୁ ନିକଟ ପାଙ୍ଗ ନାମକ ସ୍ଥାନରେ ଆଦିତ୍ୟଙ୍କ ଆକସ୍ମିକ ମୃତ୍ୟୁ ହୋଇଥିଲା । ଅନ୍ୟପକ୍ଷରେ, 48 ବର୍ଷିୟ କବାଲା ସିଂ ଜମ୍ମୁର ସାରିକା ବିହାର ଲୋୟର ରୁପ ନାଗରର ବାସିନ୍ଦା ଥିଲେ । ଜିଙ୍ଗଜିଙ୍ଗର ଅଞ୍ଚଳରେ ତାଙ୍କର ମୃତ୍ୟୁ ଘଟିଛି । ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯିବା ନେଇ ପୋଲିସ କହିଛି ।