ନୂଅଦିଲ୍ଲୀ: 8 ଦିନ ହେଲା AIIMS ସର୍ଭର ଡାଉନ ରହିଛି । ଏହାକୁ ନେଇ ଦୁଇଜଣ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି । ସାଇବର ସୁରକ୍ଷା ଅବହେଳା ଅଭିଯୋଗରେ ଏମାନଙ୍କୁ ନିଲମ୍ବିତ କରାଯାଇଛି । ଆହୁରି ଅନେକ ଅଧିକାରୀ ତଥା କର୍ମଚାରୀଙ୍କୁ ନିଲମ୍ବିତ କରାଯିବା ନେଇ ସୂତ୍ରରୁ ଖବର ମିଳିଛି ।
ଦିଲ୍ଲୀ AIIMSର ସର୍ଭରକୁ ପୁନଃ ରି-ଲୋଡ୍ କରାଯାଇଥିବା ନେଇ ଦିଲ୍ଲୀ ଏମ୍ସ୍ ପକ୍ଷରୁ ସୂଚନା ଦିଆଯାଇଥିଲା । ଏହାପୂର୍ବରୁ ୫୦ଟି ସର୍ଭର କମ୍ପ୍ୟୁଟରକୁ ସ୍କାନ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି । ପୂର୍ବରୁ ୧୫ଟି ସର୍ଭର ସ୍କାନ୍ କରାଯାଇଥିବା ନେଇ ଖବର ମିଳିଥିବା ବେଳ ଏବେ ଏହି ସଂଖ୍ୟା ୨୫ରେ ପହଞ୍ଚିଥିବା ନେଇ ସୂଚନା ମିଳିଛି । ଭବଷ୍ୟତରେ ଯେମିତି ଏଭଳି ସମସ୍ୟା ଦେଖ ନଦେବ ଏଥିପାଇଁ କମ୍ପ୍ୟୁଟରଗୁଡ଼ିକରେ ଆଣ୍ଟି ଭାଇରସ ଅପଲୋଡ୍ କରାଯାଉଛି । ୫୦ଟି ସର୍ଭର ପାଇଁ ୪୦୦ଟି ଏଣ୍ଡ ପଏଣ୍ଟ କମ୍ପ୍ୟୁଟର ରହିଛି ।
ତେବେ ଏହି ସମସ୍ତ ପ୍ରକ୍ରିୟା ପାଇଁ ସମୟ ଲାଗୁଛି । କାରଣ ବର୍ଷ ବର୍ଷ ଧରି ସେବା ଯୋଗାଉଥିବାରୁ ଏହାର ଡାଟାର ଭଲ୍ୟୁମ(ଆକାର) ଅଧିକ ରହିଛି । ସାଇବର ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି କାର୍ଯ୍ୟ ହାତକୁ ନିଆଯାଉଛି । ସର୍ଭର ମେଣ୍ଟେନାନ୍ସ ଯୋଗୁଁ ସମସ୍ତ ହସ୍ପିଟାଲ୍ରେ ବହିର୍ବିଭାଗ ଚିକିତ୍ସା, ଅନ୍ତର୍ବିଭାଗ ଚିକିତ୍ସା ସେବା, ଲାବୋରଟେରୀ ସେବା ଆଦି ବାଧାପ୍ରାପ୍ତ ହୋଇଛି ।
ଦିଲ୍ଲୀ ଏମ୍ସ୍ର ସର୍ଭର କିଭଳି ଡାଉନ ହୋଇଛି ତାହାକୁ ନେଇ NIA ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ତା ସହିତ ଇଣ୍ଡିଆ କମ୍ପ୍ୟୁଟର ରେସ୍ପନ୍ସ ଟିମ୍, ଦିଲ୍ଲୀ ପୋଲିସ୍, ଇଣ୍ଟେଲିଜେନ୍ସ ବ୍ୟୁରୋ, ସିବିଆଇ ଓ ଗୃହମନ୍ତ୍ରଣାଳୟର ପ୍ରତିନିଧି ପ୍ରମୁଖ ପହଞ୍ଚି ଦିଲ୍ଲୀ ଏମ୍ସ୍ର ସର୍ଭରକୁ ନେଇ ତଦନ୍ତ ଆରମ୍ଭ କରିଛନ୍ତି । ତଦନ୍ତକାରୀ ପ୍ରତିନିଧିଙ୍କ ନିର୍ଦ୍ଦେଶ ପରେ ଦିଲ୍ଲୀ ଏମ୍ସ୍ରେ ଇଣ୍ଟରନେଟ୍ ସୁବିଧା ବନ୍ଦ ରହିଛି । ବର୍ତ୍ତମାନ ସୁଦ୍ଧା ଲାବୋରଟାରୀ ଇନ୍ଫରମେସନ ସିଷ୍ଟମ୍ ଡାଟାବେସ ଓ ଡିପେଣ୍ଡାଣ୍ଟ ଡାଟାବେସ୍ ବର୍ତ୍ତମାନ ସୁଦ୍ଧା ରିଷ୍ଟୋର୍ ହୋଇଛି ।
ଏଥିପାଇଁ ଦିଲ୍ଲୀ ଏମ୍ସ୍ ପକ୍ଷରୁ ଏକ SOP ଜାରି କରାଯାଇଥିଲା, ଯେଉଁଥିରେ ରୋଗୀଙ୍କୁ ଅଫ୍ଲାଇନ୍ ଡିସ୍ଚାର୍ଜ କରାଯିବ ବୋଲି କୁହାଯାଇଥିଲା । ରୋଗୀଙ୍କ ଆଡମିଶନ୍, ଡିସ୍ଚାର୍ଜ, ଟ୍ରାନ୍ସଫର୍ ଏହି ସମସ୍ତ ପ୍ରକ୍ରିୟା ଅଫ୍ଲାଇନ୍ କରାଯିବ ବୋଲି କୁହାଯାଇଥିଲା । ବର୍ତ୍ତମାନ ଦିଲ୍ଲୀ ଏମ୍ସ୍ର ଇ-ହସ୍ପିଟାଲ୍ ଡାଉନ୍ ରହିଛି । ଇ-ହସ୍ପିଟାଲ୍ ସର୍ଭର ସ୍ବାଭାବିକ ହେବା ପର୍ଯ୍ୟନ୍ତ SOP ପାଳନ କରିବାକୁ ନିର୍ଦ୍ଦେଶ ରହିଛି ।