ହାଇଦ୍ରାବାଦ:ନ୍ୟୁଜିଲାଣ୍ଡର ପିହା ବେଳାଭୂମୀରେ ସମୁଦ୍ରରେ ବୁଡିଯାଇ ଦୁଇ ଭାରତୀୟ ନାଗରିକଙ୍କ ମୃତ୍ୟୁ ହୋଇଛି । ଉଭୟ ମୃତକ 28 ବର୍ଷୀୟ ସୌରିନ ନାରାୟଣ କୁମାର ପଟେଲ ଓ 31 ବର୍ଷୀୟ ଅଂଶୁଲ ଶାହ ଜଣାପଡିଛି । ଉଭୟ ଗୁଜୁରାଟର ବାସିନ୍ଦା । ଆଜି ଅପରାହ୍ନରେ ସେମାନେ ସମୁଦ୍ରରେ ଗାଧୋଇବା ବେଳେ ଗଭୀର ଜଳରାଶି ମଧ୍ୟକୁ ଭାସି ଯାଇଥିଲେ । ତେବେ କିଛି ଘଣ୍ଟାର ଉଦ୍ଧାର ଅପରେସନ ପରେ ଉଭୟଙ୍କ ମୃତଦେହ ଉଦ୍ଧାର ହୋଇଛି ।
ଅଘଟଣ ସମ୍ପର୍କରେ ସ୍ଥାନୀୟ ପ୍ରଶାସନ ନ୍ୟୁଜିଲାଣ୍ଡରେ ଅବସ୍ଥାପିତ ଭାରତୀୟ ଦୂତାବାସକୁ ଅବଗତ କରାଇଛି । ଭାରତୀୟ ଉଚ୍ଚାୟୁକ୍ତଙ୍କ ସଚିବ ଦୁର୍ଗା ଦାସ ଏନେଇ ଦୁଖଃପ୍ରକାଶ କରିବା ସହ ଅଘଟଣ ସମ୍ପର୍କରେ ନୂଆଦିଲ୍ଲୀକୁ ଅବଗତ କରିଛନ୍ତି । ସୌରିନ ନାରାୟଣ କୁମାର ପଟେଲ ଜଣେ ଇଲେକ୍ଟ୍ରିକାଲ ଇଞ୍ଜିନିୟର ଭାବେ ନଭେମ୍ବର ମାସରୁ ନ୍ୟୁଜିଲାଣ୍ଡରେ କାର୍ଯ୍ୟରତ ଥିଲେ । ସେହିପରି ଅନ୍ୟଜଣେ ମୃତକ ଶାହ ସେଠାରେ ଏକ ଗ୍ୟାସ ଷ୍ଟେସନରେ କାର୍ଯ୍ୟରତ ଥିଲେ । ଉଭୟ ଶନିବାର ବୁଲିବା ପାଇଁ ପିହା ଯାଇଥିଲେ ବେଳେ ଆଜି ସେମାନେ ସେଠାରେ ଗାଧାଉଥିବା ବେଳେ ଏହି ଅଘଟଣ ଘଟିଛି । ଅଘଟଣ ନେଇ ପରିବାର ସଦସ୍ୟଙ୍କୁ ମଧ୍ୟ ଅବଗତ କରାଯାଇଛି । ତେବେ ପରିବାର ସଦସ୍ୟଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଉଭୟ ପହଁରା ଜାଣିନଥିଲେ ।