ମୁମ୍ବାଇ:ସମ୍ବିଧାନ ପ୍ରଣେତା ବିଆର ଆମ୍ବେଦକରଙ୍କ ଜୟନ୍ତୀ ପାଳନ ବେଳେ ମହାରାଷ୍ଟ୍ରରେ ଏକ ବଡ ଅଘଟଣ ଘଟିଯାଇଛି । ଆମ୍ବେଦକର ଜୟନ୍ତୀ ଅବସରରେ ପାଲଘର ଜିଲ୍ଲା ବିରାର ସହରରେ ଶୋଭାଯାତ୍ରା ଚାଲୁଥିବା ସମୟରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଦୁଇ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି । ଏଥିରେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକ ହେଲେ ୨୩ ବର୍ଷୀୟ ସୁମିତ ସୁତ୍ ଏବଂ ୩୦ ବର୍ଷୀୟ ରୁପେଶ ସୁର୍ଭେ । ଗତକାଲି(ଗୁରୁବାର) ବିଳମ୍ବିତ ରାତି ପ୍ରାୟ ସାଢେ ୧୦ଟା ସମୟରେ ଏହି ଅଘଟଣ ଘଟିଥିବା ନେଇ ଆଜି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।
ଏହାମଧ୍ୟ ପଢନ୍ତୁ: SCB ମେଡିକାଲରେ ୮୦ ବର୍ଷୀୟ କୋରୋନା ରୋଗୀଙ୍କ ମୃତ୍ୟୁ
ସୂଚନା ଅନୁସାରେ, ଆଜି ଭାରତରତ୍ନ ଭୀମରାଓ ରାମଜୀ ଆମ୍ବେଦକଙ୍କ ଜନ୍ମ ଜୟନ୍ତୀ । ଏହି ଉପଲକ୍ଷେ ଗତକାଲି ରାତିରେ ପାଲଘର ଜିଲ୍ଲା ବିରାରର କାର୍ଗିଲ ନଗରରେ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ସ୍ଥାନୀୟ କିଛି ସାମାଜିକ କର୍ମୀ ଓ ଯୁବକ ରାତି ୯ଟା ସମୟରେ ଶୋଭାଯାତ୍ରାରେ ବାହାରିଥିଲେ । ରାତି ସାଢେ ୧୦ଟାରେ ଶୋଭାଯାତ୍ରା ସରିବା ପରେ ସମସ୍ତେ ସେହି ଗାଡିରେ ଫେରୁଥିଲେ । ଏତିକି ବେଳେ ଶୋଭାଯାତ୍ରା ଗାଡିରେ ଲାଗିଥିବା ଏକ ଲୁହା ରଡ ପାଖରେ ଥିବା ବିଦ୍ୟୁତ ଟ୍ରାନ୍ସଫର୍ମରରେ ଲାଗି ଯାଇଥିଲା । ଫଳରେ ବିଦ୍ୟୁତ ସଂସ୍ପର୍ଶରେ ଆସିବା ଯୋଗୁଁ ଗାଡିରେ ବସିଥିବା ଦୁଇ ଜଣ ଯୁବକ ସୁମିତ ଓ ରୁପେଶଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଆଉ ୪ ଜଣ ଗୁରୁତର ଆହତ ହୋଇଥିଲେ । ସେମାନଙ୍କୁ ତୁରନ୍ତ କସ୍ତୁରବା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।