ରାଞ୍ଚି: ଖେଳିବା ବୁଲିବା ବୟସରେ ଟାଇକୋଣ୍ଡରେ କମାଲ କରୁଛନ୍ତି ଏହି କୁନି ଜାଆଁଳା ଭଉଣୀ । ଝାଡ଼ଖଣ୍ଡ ରାଜଧାନୀ ରାଞ୍ଚିଠୁ ପ୍ରାୟ 180 କିମି ଦୂରରେ ଗିରିଡିହ ଜିଲ୍ଲା ବାସିନ୍ଦା ଏହି କୁନି ଟାଇକୋଣ୍ଡ ଫାଇଟର । ପାରସନାଥ ପାହାଡ଼ସ୍ଥିତ ଶିଖର ଜୈନ ମନ୍ଦିର ଓ ଅଜସ୍ର ଖଣି ଖାଦାନ ଯୋଗୁଁ ଏହି ଜିଲ୍ଲା ସୁପରିଚିତ । ବର୍ତ୍ତମାନ ଦୁଇ ଜାଆଁଳା କୁନି ଟାଇକୋଣ୍ଡ ଖେଳାଳି ଏହି ଅଞ୍ଚଳର ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ନାଁ ହେଉଛି କାବ୍ୟା ଓ ନାବ୍ୟା ।
ଖେଳନା ସହ ଖେଳିବା ବୟସରେ ଦୁଇ ଜାଆଁଳା ଭଉଣୀ ଟାଇକୋଣ୍ଡରେ ଦେଖାଉଛନ୍ତି ନିଜ ଜଳୱା । ମାତ୍ର 6 ବର୍ଷ ବୟସରେ ଦୁଇ ଶିଶୁଙ୍କ ଟାଇକୋଣ୍ଡ ଆକ୍ସନକୁ ଦେଖିଲେ ଯେ କେହିବି ଆଶ୍ଚର୍ଯ୍ୟ ହୋଇଯିବେ । କାବ୍ୟା ରାଜ୍ୟସ୍ତରୀୟ ସବଜୁନିଅର ଟାଇକୋଣ୍ଡରେ ହାସଲ କରିଛନ୍ତି ସ୍ବର୍ଣ୍ଣ ପଦକ । ବର୍ତ୍ତମାନ ତାଙ୍କୁ ଜାତୀୟ ସ୍ତରରେ ଟାଇକୋଣ୍ଡ ଚମ୍ପିଆନସିପ ପାଇଁ ମଧ୍ୟ ଚୟନ କରାଯାଇଛି । ଦେଶ ପାଇଁ ଅଲମ୍ପିକ୍ସରେ ସ୍ବର୍ଣ୍ଣ ପଦକ ହାସଲ କରିବା କାବ୍ୟାଙ୍କ ସ୍ବପ୍ନ ।
ଟାଇକୋଣ୍ଡରେ ଦୁଇ ଭଉଣୀଙ୍କ ସଫଳତା ପଛରେ ସେମାନଙ୍କ ବାପାମାଆଙ୍କ ରହିଛି ଅହେତୁକ ଯୋଗଦାନ । ଝିଅମାନେ 3 ବର୍ଷ ହେଲା ଟାଇକୋଣ୍ଡ ଶିକ୍ଷା ନେଇ ଆସୁଛନ୍ତି । ଡିଏଭି ସ୍କୁଲର ଟ୍ରେନର ରୋହିତ କୁମାର ସେମାନଙ୍କୁ ଟ୍ରେନିଂ ଦେଉଛନ୍ତି । ବାପା ପଙ୍କଜ କୁମାର ନିଜେ ଜଣେ ପିସ୍ତଲ ସୁଟିଂ କ୍ରୀଡ଼ାବିତ୍ । ଜାତୀୟସ୍ତର ଟାଇକୋଣ୍ଡ ପାଇଁ ସାନଝିଅ ଚୟନ ହୋଇଛି । ବର୍ତ୍ତମାନ ବଡ଼ ଝିଅ ପ୍ରସ୍ତୁତି ଜାରି ରଖିଛି । ଆଶା ଅଛି 6ରୁ 7 ମାସ ମଧ୍ୟରେ ତାର ମଧ୍ୟ ଭାରତୀୟ ଦଳରେ ଚୟନ ହେବ ।