ମୁମ୍ବାଇ:ହତ୍ୟାର ଶିକାର ହୋଇଥିବା କୁଖ୍ୟାତ ମାଫିଆ ଅତିକ ଅହମ୍ମଦକୁ ସମର୍ଥନ କରି ସର୍ବସାଧାରଣ ସ୍ଥାନରେ ଲାଗିଛି ବ୍ୟାନର । ହତ୍ୟାକାଣ୍ଡ ଘଟିଥିବା ଉତ୍ତର ପ୍ରଦେଶ ନୁହେଁ ବରଂ ମହାରାଷ୍ଟ୍ରର ବିଡ୍ ଜିଲ୍ଲାରେ ଦେଖିବାକୁ ମିଳିଛି ଏପରି ଅଭାବନୀୟ ଘଟଣା । ସୂଚନା ପାଇ ସ୍ଥାନୀୟ ପୋଲିସ ତୁରନ୍ତ ଉକ୍ତ ବ୍ୟାନର ହଟାଇବା ସହ ଏଥିରେ ସମ୍ପୃକ୍ତ ଦୁଇଜଣଙ୍କୁ ଗିରଫ କରିଛି । ବିଡ୍ ଜିଲ୍ଲା ମଜଲଗାଁଓରେ ଏକ ସର୍ବସାଧାରଣ ସ୍ଥାନରେ ଏହି ବ୍ୟାନର ଦେଖିବାକୁ ମିଳିଥିଲା । ଏଥିରେ ମାଫଆ ଅତିକ ଓ ତାର ଭାଇ ଅଶରଫର ଫଟୋ ଥିବା ବେଳେ ସେମାନଙ୍କ ସମର୍ଥନରେ ମରାଠୀ ଭାଷାରେ କିଛି ଲେଖାଯାଇଥିବା ଦେଖିବାକୁ ମିଳିଥିଲା ।
ଗତକାଲି (ମଙ୍ଗଳବାର) ରାତିରେ ଏହି ବ୍ୟାନର ଲଗାଯାଇଥିବା ବେଳେ ସକାଳେ ଗ୍ରାମବାସୀ ପୋଲିସକୁ ଏସମ୍ପର୍କରେ ଜଣାଇଥିଲେ । ସ୍ଥାନୀୟ ଥାନା ପ୍ରଭାରୀ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ପୋଷ୍ଟରକୁ ହଟାଇବା ସହ ତଦନ୍ତ ଆରମ୍ଭ କରିଥିଲେ । ଏହି ଘଟଣାରେ ସ୍ଥାନୀୟ 4 ଅଭିଯୁକ୍ତ ସାମିଲ ଥିବା ପୋଲିସ ଜାଣିବାକୁ ପାଇଥିଲା । ଦୁଇ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଏନ୍ୟ ଦୁଇ ଜଣ ଗ୍ରାମ ଛାଡି ଫେରାର ହୋଇଯାଇଛନ୍ତି । ସେମାନଙ୍କୁ ଚିହ୍ନଟ ସରିଛି ଓ ଖୁବଶୀଘ୍ର ଗିରଫ କରାଯିବା ନେଇ ସ୍ଥାନୀୟ ଥାନା ପ୍ରଭାରୀ ଶିତଲ କୁମାର ବଲାଲ କହିଛନ୍ତି । ଗିରଫ ଅଭିଯୁକ୍ତଙ୍କର କୌଣସି ଅପରାଧିକ ପୃଷ୍ଠଭୂମି ରହିଛି କି ନାହିଁ, ସେ ସମ୍ପର୍କରେ ପୋଲିସ ତଦନ୍ତ ଆମ୍ଭ କରିଛି ।