ନୂଆଦିଲ୍ଲୀ:ଖୋଲିଲା ମହେନ୍ଦ୍ର ଅଗ୍ରୱାଲ ହତ୍ୟା ମାମଲାର ଗୁମର । କ୍ରାଇମ୍ବ୍ରାଞ୍ଚ ପଞ୍ଝାରେ ହତ୍ୟାକାରୀ । ଡିସେମ୍ବର ୩୦ରେ ପୂର୍ବ ଦିଲ୍ଲୀର ପ୍ରତି ବିହାରରେ ଅବସ୍ଥିତ ଏନର୍ଜୀ ଜିମର ମାଲିକ ମହେନ୍ଦ୍ର ଅଗ୍ରୱାଲଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା । ଏହି ହତ୍ୟା ମାମଲା ପୂର୍ବ ଦିଲ୍ଲୀରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ କ୍ରାଇମ୍ବ୍ରାଞ୍ଚ ଦୁଇ ଜଣଙ୍କ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରୁ ଜଣେ ମହେନ୍ଦ୍ରଙ୍କ ଜିମ୍ର ପୂର୍ବତନ ପ୍ରଶିକ୍ଷକ ଇନ୍ଦ୍ରବର୍ଦ୍ଦନ ଶର୍ମା ଏବଂ ଅନ୍ୟ ଜଣେ ଅଭିଯୁକ୍ତ ରବି କୁମାର ତୋମର ବୋଲି ଜଣାପଡିଛି। ଏହି ଘଟଣାରେ ସାମିଲ ଥିବା ତୃତୀୟ ଅଭିଯୁକ୍ତ ଅଜୟ ଫେରାର ଥିବା ସୂଚନା ଦେଇଛି କ୍ରାଇମ୍ବ୍ରାଞ୍ଚ ।
ପୋଲିସ ଉଭୟ ଅଭିଯୁକ୍ତଙ୍କୁ କଷ୍ଟଡିକୁ ନେଇ ପଚରାଉଚରା କରୁଛି । ପଚରାଉଚରା ସମୟରେ ପୂର୍ବତନ ଜିମ୍ ପ୍ରଶିକ୍ଷକ ଇନ୍ଦ୍ରବର୍ଦ୍ଦନ ହତ୍ଯା ପଛର କାରଣ ପୋଲିସ ସମ୍ମୁଖରେ ଓଗାଳିଛି । ଇନ୍ଦ୍ରବର୍ଦ୍ଦନ କହିଛି, ୨୦୧୭ ରେ ମହେନ୍ଦ୍ର ତା ବିରୋଧରେ ଏକ ଅପହରଣ ମାମଲା ଦାୟର କରିଥିଲେ, ଯେଉଁଥିପାଇଁ ତାଙ୍କୁ ଜେଲ୍ ଯିବାକୁ ପଡ଼ିଲା । ଏହାର ପ୍ରତିଶୋଧ ନେବାକୁ ଯାଇ ସେ ମହେନ୍ଦ୍ରଙ୍କୁ ହତ୍ୟା କରିଥିବା ପୋଲିସ ସମ୍ମୁଖରେ ସ୍ବୀକାର କରିଛି । ସ୍ପେଶାଲ ସିପି ରବିନ୍ଦ୍ର ଯାଦବଙ୍କ ଅନୁଯାୟୀ, ଡିସେମ୍ବର ୩୦ ରାତି ୭.୩୦ରେ ମହେନ୍ଦ୍ର ଉପରକୁ ମୁଖାଧାରୀ ବ୍ୟକ୍ତିମାନେ ଅନ୍ଧାଧୁନ୍ ଗୁଳିବର୍ଷା କରିଥିଲେ ।