ଅଗରତାଲା: ତ୍ରିପୁରା ବିଧାନସଭା ନିର୍ବାଚନ ଭୋଟ ଗଣତି ଜାରି ରହିଛି । କିନ୍ତୁ ପ୍ରତି ମୁହୁର୍ତ୍ତରେ ଜନାଦେଶର ଟ୍ରେଣ୍ଡ ବଦଳିବାରେ ଲାଗିଛି । ୬୦ ଆସନ ବିଶିଷ୍ଟ ତ୍ରିପୁରା ବିଧାନସଭା ନିର୍ବାଚନରେ ସରକାର ଗଠନ ପାଇଁ ୩୧ଟି ଆସନ ଆବଶ୍ୟକ । ହେଲେ ବିଜେପି ପ୍ରାରମ୍ଭିକ ଟ୍ରେଣ୍ଡରେ ବିଜେପି ସଂଖ୍ୟା ଗରିଷ୍ଠତା ପାର କରିଯାଇଥିଲା । କିନ୍ତୁ ଭୋଟ ଗଣତି ବଢିବା ସହ ବିଜେପିର ଆସନ ହ୍ରାସ ପାଇବାରେ ଲାଗିଛି । ବିଜେପିର ଆସନ ପ୍ରତି ମୂହୁର୍ତ୍ତରେ ବଦଳୁଛି । ଭୋଟ ଗଣତିର ଗୋଟିଏ ସମୟରେ ବିଜେପି ଏକାକି ୩୫ଟି ଆସନରେ ଆଗୁଆ ରହିଥିଲା । କିନ୍ତୁ ପରେ ପରେ ଦଳ ୨୭ ଆସନକୁ ଖସି ଆସିଥିଲା । ଗତ ନିର୍ବାଚନରେ ବିଜେପି ପାଇଥିବା ଆସନରୁ ଚଳିତ ନିର୍ବାଚନରେ ୧୦ଟି ଆସନ କମ ପାଇପାରେ ।
ଏହାବି ପଢନ୍ତୁ- Election Results 2023 LIVE: ତ୍ରିପୁରା-ନାଗାଲାଣ୍ଡରେ ଆଗୁଆ ବିଜେପି, ମେଘାଳୟରେ ଲିଡ କରୁଛି NPP
ତ୍ରିପୁରା ବିଧାନସଭା ନିର୍ବାଚନର ସ୍ଥିତି ଯାହା ଏବେ ଟିପରା ମୋଥା ପାର୍ଟି(ଟିଏମପି) ପାର୍ଟି କିଙ୍ଗମେକର ଭୂମିକା ନିଭାଇପାରେ । ମହାରାଜ ପ୍ରଦ୍ୟେତ ଦେବବର୍ମାଙ୍କ ନେତୃତ୍ବଧିନ ପରା ମୋଥା ପାର୍ଟି(ଟିଏମପି) ଏବେ ତ୍ରିପୁରାରେ କିଙ୍ଗ କିମ୍ବା କିଙ୍ଗମେକର ଭୂମିକା ନିଭାଇପାରେ। କାରଣ ରାଜ୍ୟରେ ଟିଏମପି ଏକ ବଡ ସଫଳତା ଆଡକୁ ଯାଉଛି । ଟିଏମପି ବର୍ତ୍ତମାନ ସୁଦ୍ଧା ଆସିଥିବା ଟ୍ରେଣ୍ଡରେ ୧୫ ଟି ଆସନରେ ଆଗୁଆ ରହିଛି । ଟିପରା ମୋଥା ପାର୍ଟି ରାଜ୍ୟର ଆଦିବାସୀ ବହୁଳ ଅଞ୍ଚଳରେ ପ୍ରଭାବୀ ପ୍ରଦର୍ଶନ କରିଛି । ଯାହା ବିଜେପି ସମେତ କଂଗ୍ରେସ ପାଇଁ ଏବେ ଚିନ୍ତା ବଢାଇ ଦେଇଛି ।
ଟିଏମପିର ସଂସ୍ଥାପକ ମହାରାଜ ପ୍ରଦ୍ୟେତ ଦେବବର୍ମା ହେଉଛନ୍ତି ତ୍ରିପୁରା ରାଜବଂଶର ଉତ୍ତରାଧିକାରୀ । ରାଜ୍ୟର ଆଦିବାସୀ ଜନଜାତିଙ୍କ ବର୍ଗରେ ତାଙ୍କର ଅଖଣ୍ଡ ପ୍ରଭାବ ରହିଛି । ଗତ ୨୦୧୮ ବିଧାନସଭା ନିର୍ବାଚନରେ ବିଜେପି ଓ ଆଇପିଏଫଟି (ଇଣ୍ଡିଜିନ୍ସ ପିପୁଲ୍ସ ଫ୍ରଣ୍ଟ ଅଫ ତ୍ରିପୁରା ) ରାଜ୍ୟରେ ଭଲ ପ୍ରଦର୍ଶନ କରିଥିଲା । ଗତ ନିର୍ବାଚନରେ ବିଜେପି ୩୬ଟି ଆସନ ଆଇପିଏଫଟି ୮ଟି ଆସନ ପାଇଥିଲା । ଆଇପିଏଫଟି ସଂସ୍ଥାପକ ଏନସି ଦେବବର୍ମାଙ୍କ ନିଧନ ପରେ ଦଳର ପ୍ରଭାବ ହ୍ରାସ ପାଇଥିଲା । ତାଙ୍କ ବିରୋଧୀ ମଧ୍ୟ ଏକତ୍ରିତ ହୋଇ ବିଜେପି ବିରୋଧରେ ଲଢିବାକୁ ରଣନୀତି ପ୍ରସ୍ତୁତ କଲେ ।