ଅଗରତାଲା:ଚଳିତ ବର୍ଷ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ରାଜ୍ୟ ତାଲିକାରେ ରହିଛି ଉତ୍ତର-ପୂର୍ବ ବିଜେପି ଶାସିତ ରାଜ୍ୟ ତ୍ରିପୁରା । 16 ତାରିଖରେ ଭୋଟିଂ ହେବାକୁ ଥିବା ବେଳେ ଆଜି (ଗୁରୁବାର) ଶାସନରେ ଥିବା ଭାରତୀୟ ଜନତା ପାର୍ଟି ତାର ନିର୍ବାଚନୀ ସଂଙ୍କଳ୍ପପତ୍ର ବା ଇସ୍ତାହାର ଘୋଷଣା କରିଛି । ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଆଜି ତ୍ରିପୁରା ଗସ୍ତରେ ଥିବା ବେଳେ ମୁଖ୍ୟମନ୍ତ୍ରୀ ମାଣିକ ସାହା ମଧ୍ୟ ତାଙ୍କ ସହ ଏକାଧିକ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ବିଜେପି ମୁଖ୍ଯ ନଡ୍ଡାଙ୍କ ଉପସ୍ଥିତିରେ ଆଜି ଦଳ ଏହି ନିର୍ବାଚନୀ ସଂକଳ୍ପପତ୍ର ଉନ୍ମୋଚନ କରିଛି ।
ସଂଙ୍କଳ୍ପପତ୍ର ଉନ୍ମୋଚନ ଅବସରରେ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଦଳ ମୁଖ୍ୟ ନଡ୍ଡା କହିଛନ୍ତି, ଯେତେବେଳେ ବିଜେପି ସଂଙ୍କଳ୍ପପତ୍ର ଘୋଷଣା କରେ, ଏହା କେବଳ ଏକ କାଗଜର ଖଣ୍ଡ ନୁହେଁ ବରଂ ଏହା ଏକ ଭିଜନ ଡକ୍ୟୁମେଣ୍ଟ । ଏହା ଲୋକଙ୍କ ପ୍ରତି ଭାରତୀୟ ଜନତା ପାର୍ଟିର ପ୍ରତିବଦ୍ଧତାକୁ ଦର୍ଶାଏ । ତ୍ରିପୁରା ରାଜ୍ୟ ଶାନ୍ତି, ସମୃଦ୍ଧି ଓ ସଦଭବନାର ପରିଚୟ ବହନ କରେ । ତେବେ ବିଜେପି ଶାସନରେ ତ୍ରିପୁରାରେ ବିକାଶ ହୋଇଛି ବୋଲି ନଡ୍ଡା କହିଥିଲେ ।
ରାଜ୍ୟରେ 13 ଲକ୍ଷ ଆୟୁଷ୍ମାନ ଭାରତ କାର୍ଡ ହିତାଧିକାରୀଙ୍କୁ ମିଳିସାରିଛି । ସେହିପରି ସେଟେଲମେଣ୍ଟ ଆକାରରେ 107 କୋଟି ଟଙ୍କା ରାଜ୍ୟବାସୀଙ୍କୁ ମିଳିସାରିଛି । ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ମୋଟ 3.5 ଲକ୍ଷ ଘର ନିର୍ମାଣ ହୋଇଛି । ସେହିପରି ଜଳ ଜୀବନ ମିଶନରେ ରାଜ୍ୟର ମୋଟ ଜନସଂଖ୍ୟାର 55 ପ୍ରତିଶତ ଲୋକଙ୍କୁ ସୁଦ୍ଧ ପାନୀୟ ଜଳ ଯୋଗାଣରେ ସଫଳତା ମିଳିଛି । ଏହି ସଂଖ୍ୟା 2018ରେ ମାତ୍ର 3 ପ୍ରତିଶତ ରହିଥିଲା ବୋଲି ନଡ୍ଡା କହିଥିଲେ ।