ଅଗରତଲା: ତ୍ରିପୁରାରେ ଟିଏମସି ନେତା ଓ କର୍ମୀଙ୍କୁ ବିଜେପି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏହାସହ କର୍ମୀଙ୍କ ଗାଡିକୁ ଭାଙ୍ଗି ଦେବା ସହ ଟିଏମସି କାର୍ଯ୍ୟାଳୟକୁ ମଧ୍ୟ ଭଙ୍ଗାରୁଜା କରିଥିବା ଅଭିଯୋଗ ଆଣିଛନ୍ତି ଦଳର ଜାତୀୟ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ ଏବଂ ମୁଖ୍ୟ ମୁଖପାତ୍ର କୁନାଲ ଘୋଷ । ଆକ୍ରମଣକାରୀଙ୍କୁ ଗିରଫ କରିବାକୁ ଟୁଇଟ ମାଧ୍ୟମରେ ଦାବି କରିଛନ୍ତି। ବିଜେପି ତ୍ରିପୁରାରେ ପ୍ରକୃତ ରଙ୍ଗ ଦେଖାଉଛି । ଟିଏମସି କର୍ମୀ ଉପରେ ହୋଇଥିବା ଏହି ବର୍ବର ଆକ୍ରମଣ ମୁଖ୍ୟମନ୍ତ୍ରୀଙ୍କ ଜାଣତରେ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ତ୍ରିପୁରାରେ ଗୁଣ୍ତାରାଜ ଚାଲିଛି । ବିଜେପିର ଏ ଧମକ ଏବଂ ଆକ୍ରମଣ କେବଳ ଦଳର ପ୍ରକୃତ ରୂପକୁ ପଦାରେ ପକାଇବା ସହ ଅମାନୁଷିକତାକୁ ପ୍ରମାଣ କରୁଛି। କିନ୍ତୁ ଏ ଆକ୍ରମଣରେ ଟିଏମସି ଡରିବ ନାହିଁ କି ପଛଘୁଞ୍ଚା ଦେବ ନାହିଁ ବୋଲି ବାନାର୍ଜୀ ଏକ ଟ୍ୱିଟ ଯୋଗେ କହିଛନ୍ତି।
ଟିଏମସି ମୁଖପାତ୍ର କୁନାଲ ଘୋଷ ଏନେଇ ପ୍ରତିକ୍ରିୟା ରଖିଛନ୍ତି । ଧଲାଇ ଜିଲ୍ଲାର ଅମ୍ବାସା ଠାରେ ବିଜେପି କର୍ମୀମାନେ ଆକ୍ରମଣ କରିବା ସମୟରେ ପଶ୍ଚିମବଙ୍ଗର ଯୁବ ନେତା ଦେବାଂଶୁ ଭଟ୍ଟାଚାର୍ଯ୍ୟ, ସୁଦୀପ ରାହା ଏବଂ ଜୟା ଦତ୍ତଙ୍କ ସମେତ ୭ ଜଣ ଦଳର ନେତା ଓ କର୍ମୀ ଆହତ ହୋଇଥିଲେ। ସେ କହିଛନ୍ତି ଯେ ଉତ୍ତର ତ୍ରିପୁରା ଜିଲ୍ଲାର ଧର୍ମନଗରରେ ଥିବା କାର୍ଯ୍ୟାଳୟକୁ ଶାସକ ଦଳର କର୍ମକର୍ତ୍ତାମାନେ ସମ୍ପୂର୍ଣ୍ଣ ଭାଙ୍ଗି ଦେଇଛନ୍ତି । ଆକ୍ରମଣକାରୀଙ୍କୁ ଗିରଫ କରିବା ପରିବର୍ତ୍ତେ ପୋଲିସ ଶନିବାର ରାତିରେ ଟିଏମସି ନେତା ସୁବଲ ଭୌମିକଙ୍କ ସମେତ କର୍ମୀଙ୍କୁ ଅଟକ ରଖିଥିଲା। ରାଜ୍ୟରେ ବିଜେପି ସରକାରଙ୍କ ଜଙ୍ଗଲ ରାଜକୁ ବରଦାସ୍ତ କରାଯିବ ନାହିଁ । ରାଜ୍ୟରେ ଚାଲିଥିବା ଜଙ୍ଗଲ ରାଜକୁ ଟିଏମସି ସହ୍ୟ କରି ପାରିବ ନାହିଁ । ଏନେଇ ରାଜ୍ୟପାଳଙ୍କୁ ଭେଟିବୁ ବୋଲି ସେ କହିଛନ୍ତି ।