ନୂଆଦିଲ୍ଲୀ: ଭୂମିକମ୍ପ ଝଟକାରେ ଥରିଲା ରାଜଧାନୀ । ଶନିବାର ରାତିରେ ଦିଲ୍ଲୀ, ଏନସିଆର, ଜମ୍ମୁ-କାଶ୍ମୀର, ଆଫଗାନିସ୍ତାନ ଓ ପାକିସ୍ତାନର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି । ପ୍ରାଥମିକ ଭାବେ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୮ ରେକର୍ଡ କରାଯାଇଛି । ଭୂମିକମ୍ପର କେନ୍ଦ୍ରସ୍ଥଳ ଜମ୍ମୁ-କାଶ୍ମୀରର ଗୁଲମାର୍ଗ ଠାରୁ ୪୧୮ କିମି ଦୂର ଆଫଗାନିସ୍ତାନର ହିନ୍ଦୁ କୁଶ ଅଞ୍ଚଳରେ ରହିଥିଲା । ଏହାର ଗଭୀରତା ୧୮୧ କିମି ରେକର୍ଡ ହୋଇଛି । ଏନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନା ମୁତାବକ, ଗତକାଲି(ଶନିବାର) ରାତି ପ୍ରାୟ ୯ଟା ୩୧ ମିନିଟ୍ ସମୟରେ ଆଫଗାନିସ୍ତାନର ପାହାଡି ଅଞ୍ଚଳରେ ଭୂମିକମ୍ପ ସଂଗଠିତ ହୋଇଥିଲା । ଏହାପରେ ଜାତୀୟ ରାଜଧାନୀ ଦିଲ୍ଲୀ, ଉପକଣ୍ଠ ଏନସିଆର ସମେତ ଜମ୍ମୁ-କାଶ୍ମୀରରେ କମ୍ପନ ଅନୁଭୂତ ହୋଇଥିଲା । ରାତି ସମୟ ହୋଇଥିବାରୁ ଲୋକମାନେ ଭୟରେ ଘର ବାହାରକୁ ଦୌଡି ଆସିଥିଲେ । ନୋଏଡାରେ ରହୁଥିବା ପ୍ରୀତି ଶଙ୍କରଙ୍କ କହିଛନ୍ତି ଯେ, ରାତି ସାଢେ ୯ଟାରେ ଦୁଇ ଥର ଭୂକମ୍ପ ଅନୁଭୂତ ହୋଇଥିଲା । ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇଥିବାର ସୂଚନା ନାହିଁ ।
ଏନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଟ୍ବିଟ୍ କରିଛନ୍ତି,''ଦିଲ୍ଲୀରେ ଭୂମିକମ୍ପ ଝଟକା ଅନୁଭତ ହୋଇଛି । ଆଶା କରୁଛି ସମସ୍ତେ ସୁରକ୍ଷିତ ଥିବେ ।'' ଯେକୌଣସି ଜରୁରୀ ସହାୟତା ପାଇଁ ୧୧୨ ନମ୍ବର ଡାଏଲ କରିବାକୁ ଦିଲ୍ଲୀ ପୋଲିସ୍ ଟ୍ବିଟ୍ କରି କହିଛି ।