ବେଙ୍ଗାଲୁରୁ: 70 ବର୍ଷୀୟ ବୃଦ୍ଧାଙ୍କ ଉପଯୁକ୍ତ ବୁଦ୍ଧି ଯୋଗୁଁ ଟଳିଲା ଟ୍ରେନ ଦୁର୍ଘଟଣା । ରେଳ ଟ୍ରାକ୍ ଉପରେ ଏକ ବଡ ଗଛ ପଡିଥିବାର ଦେଖି ବୃଦ୍ଧା ଜଣକ ନାଲି କପଡା ଦେଖାଇ ଟ୍ରେନ ରୋକିଥିଲେ । ଯେଉଁ କାରଣରୁ ଏକ ବଡ ଦୁର୍ଘଟଣା ଟଳି ଯାଇଛି । ଏହି ଘଟଣା ମାର୍ଚ୍ଚ 21ତାରିଖରେ ସହରର ପାଦିଲ ଜୋକାଟେରେ ଥିବା ପାଚ୍ଚନାଡି ନିକଟ ମାଣ୍ଡାରାଠାରେ ଘଟିଥିବା ବେଳେ ଏହା ବର୍ତ୍ତମାନ ସାମ୍ନାକୁ ଆସିଛି । ମାଙ୍ଗାଲୋର ସହରର କୁଡୁପୁ ଆୟାରା ମନେର ଚନ୍ଦ୍ରବତୀ ନାମକ ବୃଦ୍ଧା ଏହି ଟ୍ରେନ ଦୁର୍ଘଟଣାକୁ ରୋକିଥିବା ଜଣାପଡିଛି ।
ମାର୍ଚ୍ଚ 21ରେ ଅପରାହ୍ନ ପ୍ରାୟ 2.10 ରେ ରେଲୱେ ଟ୍ରାକରେ ଏକ ଗଛ ପଡିଯାଇଥିଲା । ଏହି ସମୟରେ ମାଙ୍ଗାଲୋରରୁ ମୁମ୍ବାଇ ଅଭିମୁଖେ ଏକ ଟ୍ରେନ୍ ଆସୁଥିଲା । ଏହାଦେଖି ଚନ୍ଦ୍ରବତୀ ଘରୁ ଏକ ନାଲି କପଡା ଆଣି ଟ୍ରେନ୍ ଆସିବା ସମୟରେ ଏହାକୁ ଦେଖାଇଥିଲେ । ତେବେ ବିପଦକୁ ଜାଣିପାରି ଲୋକୋ ପାଇଲଟ ଟ୍ରେନର ଗତି ହ୍ରାସ କରି ଟ୍ରେନକୁ ଅଟକାଇଥିବା ବେଳେ ଏହିପରି ଏକ ସମ୍ଭାବ୍ୟ ଦୁର୍ଘଟଣାକୁ ଏଡାଇ ଦିଆଯାଇଛି । ଏହାପରେ ସ୍ଥାନୀୟ ଲୋକ ଓ ରେଳ ବିଭାଗର କର୍ମଚାରୀମାନେ ରେଲୱେ ଟ୍ରାକରେ ପଡ଼ିଥିବା ଗଛକୁ ସଫା କରିଥିଲେ ।