ଲକ୍ଷ୍ନୌ:ନିଜ ବୟାନ ପାଇଁ ଅଧିକାଂଶ ସମୟ ବିବାଦରେ ରହୁଥିବା ଉତ୍ତର ପ୍ରଦେଶର ବିଜେପି ସାଂସଦ ସାକ୍ଷୀ ମହାରାଜ ଏବେ ପୁଣି ନିଜର ଏକ ବୟାନ ପାଇଁ ଚର୍ଚ୍ଚାର ପରିଧିକୁ ଆସିଛନ୍ତି । ଅପରାଧୀଙ୍କ ପାଇଁ ଗୁଳି, ଲାଠି ଓ ବୁଲଡୋଜର ହିଁ ଉପଚାର ବୋଲି କହିଛନ୍ତି ସାଂସଦ ସାକ୍ଷୀ । ଝାଡଖଣ୍ଡର ଗିରିଡିହରେ ଆୟୋଜିତ ଏକ ଧାର୍ମିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ସାକ୍ଷୀ ମହାରାଜ ପ୍ରେସମିଟକୁ ସମ୍ବୋଧିତ କରି ଏହି ବୟାନ ଦେଇଛନ୍ତି ।
ସାଂସଦ ସାକ୍ଷୀ କହିଛନ୍ତି, ଅପରାଧୀଙ୍କ ପାଇଁ କେବଳ ଗୁଳି, ବାଡି ଓ ବୁଲଡୋଜରର ଆବଶ୍ୟକତା ରହିଛି । ଏହି ପ୍ରସଙ୍ଗରେ କେନ୍ଦ୍ର ନରେନ୍ଦ୍ର ମୋଦି ସରକାର ଏବଂ ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ଉତ୍ତମ କାର୍ଯ୍ୟ କରୁଛନ୍ତି । ସେହିପରି ସେ ଉତ୍ତର ପ୍ରଦେଶରେ ମାଫିଆରାଜ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କୁ ଟାର୍ଗେଟ କରିଥିଲେ । ଯୋଗୀ ଆଦିତ୍ୟନାଥଙ୍କୁ ବାବା ସମ୍ବୋଧନ କରି ସାକ୍ଷୀ ମହାରାଜ କହିଥିଲେ, ବାବାଙ୍କର ବୁଲଡୋଜର ଭୟରେ ଉତ୍ତର ପ୍ରଦେଶରେ ସମାଜବାଦୀ ପାର୍ଟି ପାଳିଥିବା ଗୁଣ୍ଡାଙ୍କ ପ୍ରଭାବ ହ୍ରାସପାଇଛି । ସେହିପରି ସେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଓ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହିମନ୍ତ ସୋରେନଙ୍କୁ ମଧ୍ୟ ସମାଲୋଚନା କରିଥିଲେ ।