ଲକ୍ଷ୍ନୌ: ବିଶ୍ବର ଅନ୍ୟତମ ପ୍ରମୁଖ ରେଳ ନେଟଓ୍ବାର୍କ ଭାରତୀୟ ରେଳବାଇରେ ଏକ ଚରମ ଅବହେଳା ଦେଖିବାକୁ ମିଳିଛି । କନଫର୍ମ ଟିକେଟ ମିଳିଲା, ହେଲେ ଟ୍ରେନରେ କୋଚ ଲଗାଇବାକୁ ଭୁଲିଗଲା ରେଳବାଇ । ଫଳରେ ଯାତ୍ରା କରିବାକୁ ଥିବା ଯାତ୍ରୀ ନିଜ ବଗି କିମ୍ବା ସିଟ ପାଇଲେନାହିଁ । ଯାତ୍ରା କରିବାରେ ସମସ୍ୟା ହେଲା । ଏହା ବିରୋଧରେ ସେ ରେଳବାଇ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ ମଧ୍ୟ କଲେ । ମାତ୍ର ରେଳବାଇଠାରୁ କୌଣସି ସନ୍ତୋଷଜନକ ଉତ୍ତର ପାଇଲେନାହିଁ । ଫଳରେ ସେ କଞ୍ଜୁମର ଫୋରମରେ ରେଳବାଇ ବିରୋଧରେ ମାମଲା ରୁଜୁ କଲେ । ଦୀର୍ଘ 6 ବର୍ଷର ଲଢେଇ ପରେ କଞ୍ଜୁମର କୋର୍ଟ ଏବେ ରେଳବାଇକୁ 8 ହଜାର ଟଙ୍କା ଜୋରିମାନ ଦେବାକୁ ନିର୍ଦ୍ଦେଶ ଦେଇଛି । ଅବ୍ୟବସ୍ଥାର ଶିକାର ହୋଇ ରେଳବାଇ ବିରୋଧରେ ଦୀର୍ଘ ବର୍ଷର ଲଢେଇ ଲଢ଼ିଥିବା ଏମିତି ଏକ କାହାଣୀ ହେଉଛି, ଆଗ୍ରାର କମଳାନଗର ବାସିନ୍ଦା ମୁନ୍ନାଲାଲ ଅଗ୍ରଓ୍ବାଲଙ୍କର ।
କଣ ଥିଲା ପୁରା ଘଟଣା :ଘଟଣାଟି 2017 ସେପ୍ଟେମ୍ବର 9 ତାରିଖର । କମଳାନଗର ଡି‘ ବ୍ଲକର ବାସିନ୍ଦା ମୁନ୍ନାଲାଲ ଅଗ୍ରୱାଲ ପେଶାରେ ଜଣେ ବ୍ୟବସାୟୀ । ସେ କୌଣସି ଏକ କାର୍ଯ୍ୟରେ ବୃନ୍ଦାରୁ ଆଗ୍ରା କ୍ୟାଣ୍ଟନମେଣ୍ଟ ପର୍ଯ୍ୟନ୍ତ ଯାତ୍ରା କରିବାକୁ ରେଳ ଟିକେଟ ବୁକିଂ କରିଥିଲେ । ଉତ୍ତର ପ୍ରଦେଶ ସମ୍ପର୍କକ୍ରାନ୍ତି ଏକ୍ସପ୍ରେସରେ ତାଙ୍କ ଟିକେଟଟି ଶୀତତାପ ନିୟନ୍ତ୍ରିତ (ଏସି) ସେକେଣ୍ଡ୍ କ୍ଲାସ ବର୍ଗରେ ବୁକିଂ ହୋଇଥିଲା । ବୁକିଂ କନଫର୍ମ ମଧ୍ୟ ହୋଇଥିଲା । ତାଙ୍କ ଟିକେଟରେ ସ୍ବାଭାବିକ ଭାବେ କୋଚ ଓ ବର୍ଥ ନମ୍ବର ମଧ୍ୟ ଥିଲା ।
ନିର୍ଦ୍ଧାରିତ ସମୟରେ ସେ ବୃନ୍ଦା ଷ୍ଟେସନରେ ପହଞ୍ଚି ଟ୍ରେନ୍କୁ ଅପେକ୍ଷା କରିଥିଲେ । ଟ୍ରେନ୍ ପ୍ଲାଟଫର୍ମରେ ଲାଗିବା ପରେ ସେ ଯାତ୍ରା କରିବା ପାଇଁ ନିଜ କୋଚ୍ ଖୋଜିବା ଆରମ୍ଭ କରିଥିଲେ । ହେଲେ ଟ୍ରେନ୍ରେ ବଗି ବା କୋଚ ମିଳିନଥିଲା । ଏହା ପରେ ସେ ଜାଣିବାକୁ ପାଇଲେ ଯେ, ତାଙ୍କ ଟିକେଟରେ ମିଳିଥିବା କୋଚ ଟ୍ରେନରେ ସଲଗ୍ନ ନଥିଲା । ଏହାରି ମଧ୍ୟରେ ଟ୍ରେନ୍ଟି ପ୍ଲାଟଫର୍ମ ଛାଡଟିଥିଲା । ସେ ଅନ୍ୟ ଏକ କୋଚ୍ରେ ଯାତ୍ରା କରି ସମସ୍ୟାର ସାମ୍ନା କରିବାକୁ ବାଧ୍ୟ ହୋଇଥିଲେ । ପରେ ତାଙ୍କୁ ଟିକେଟ ନୀରିକ୍ଷକ ସେକେଣ୍ଡ କ୍ଲାସ ପରିବର୍ତ୍ତେ ଏସି ଥାର୍ଡ କ୍ଲାସରେ ଯାତ୍ରା କରିବା ପାଇଁ ବ୍ୟବସ୍ଥା କରାଇ ଦେଇଥିଲେ । ଏହା ତାଙ୍କ ବୁକିଂ ଟିକେଟ୍ ମୂଲ୍ଯର 440 ଟଙ୍କା କମ ଥିଲା ।