ହାଇଦ୍ରାବାଦ:୮ବର୍ଷର ନିରୀହ ବାଳକର ହତ୍ୟା । ନିର୍ଦ୍ଦୟ ଭାବେ ହତ୍ୟା କରିବା ପରେ ନାବାଳକର ଶରୀରର ସମସ୍ତ ହାଡ଼କୁ ମଧ୍ୟ ଭାଙ୍ଗି ଦିଆଯାଇଛି । ଗୁରୁବାର ବିଳମ୍ବିତ ରାତିରେ ହାଇଦ୍ରାବାଦ ସନାଥ ନଗର ଅଞ୍ଚଳରେ ଜଣେ କିନ୍ନର ଏପରି କରିଥିବା ଅଭିଯୋଗ ହୋଇଛି । ବଳି ପକାଇବା ଉଦ୍ଦେଶ୍ୟରେ କିନ୍ନର ଜଣକ କୁନିପୁଅକୁ ନିର୍ଦ୍ଦୟ ଭାବେ ହତ୍ୟା କରିଥିବା ସନ୍ଦେହ କରାଯାଉଛି । ଏହାପରେ କୁନିପୁଅର ମୃତ ଶରୀରକୁ ପାଣି ଭର୍ତ୍ତି ବାଲ୍ଟିରେ ରଖି ଏକ ଡ୍ରେନ ଭିତରେ ପୋତି ଦେଇଥିବା ଜଣାପଡ଼ିଛି ।
ଏହି ମୃତ ବାଳକର ନାମ ହେଉଛି ଅବଦୁଲ ୱାହିଦ । ସେ କୋଟି ଅଞ୍ଚଳର ଅଧିବାସୀ । ଅବଦୁଲ ନିଖୋଜ ଥିବା ନେଇ ଥାନାରେ ପିତା ୱାସିମ ଖାନ ମାମଲା ରୁଜୁ କରିବା ପରେ ଖୋଜାଖୋଜି ଆରମ୍ଭ ହୋଇଥିଲା । ଏହାପରେ ମୁସାପେଟ ଅଞ୍ଚଳରେ ଏକ ଡ୍ରେନ ମଧ୍ୟରେ ପୋତା ହୋଇଥିବା ବାଲ୍ଟିରୁ ଅବଦୁଲକୁ ଉଦ୍ଧାର କରାଯାଇଥିଲା । ଏହି ଘଟଣାରେ ପୋଲିସ କିନ୍ନର ଫିଜା ଖାନ ସମେତ ୪ଜଣଙ୍କୁ ଗିରଫ କରିଛି । ବଳି ପକାଇବା ପାଇଁ ତାଙ୍କ ପୁଅକୁ ହତ୍ୟା କରାଯାଇଥିବା ନେଇ ପରିବାର ଅଭିଯୋଗ କରିବା ପରେ ପୋଲିସ ଏମାନଙ୍କୁ ଗିରଫ କରିଛି ।
ଏହା ବି ପଢନ୍ତୁ- ଆଇସକ୍ରିମ ଖାଇ ୧୨ବର୍ଷର ନାବାଳକ ମୃତ, ପିଉସୀ ରଚିଥିଲା ଷଡ଼ଯନ୍ତ୍ର
ପୋଲିସର କହିବା ଅନୁସାରେ ଫିଜା ଖାନ ଓ ମୃତକର ପିତା ୱାସିମ ଖାନଙ୍କ ମଧ୍ୟରେ ଆର୍ଥିକ ବିବାଦ ରହିଥିଲା । କିନ୍ନର ଜଣକ ଚିଟ ବ୍ୟବସାୟ (ଟ୍ରାନଞ୍ଜାକ୍ସନ) କରୁଥିବା ବେଳେ ୱାସିମ କପଡ଼ା ଦୋକାନ କରିଥିଲେ । ପଡୋଶୀଙ୍କ କହିବାନୁସାରେ ଗୁରୁବାର କିଛି ଯୁବକ ଅବଦୁଲକୁ ନେଇ ଫିଜା ଘରକୁ ଯାଇଥିଲେ । ଏହାପରେ ତାକୁ ସେଠାରେ ଦେଖିବାକୁ ମିଳିନଥିଲା । ଅଭିଯୋଗ ପରେ ପୋଲିସ ଫିଜାକୁ ଗିରଫ କରିଥିଲା । ଫିଜା ନିଜର ଦୋଷ ସ୍ବୀକାର କରିଛି । ସେ ଅବଦୁଲକୁ ହତ୍ୟା କରି ତାର ଶରୀରକୁ ଡ୍ରେନରେ ପୋତି ଦେଇଥିବା ପୋଲିସକୁ କହିଛି ।
ପରିବାରର କହିବାନୁସାରେ ଦୋକାନରୁ କିଛି କିଣି ଦେବା ଲାଗି ଅବଦୁଲକୁ ଫିଜା ଡାକିବା ପରେ ତାକୁ କାବୁ କରି ହତ୍ୟା କରିଥିଲା । ଏହାପରେ ତାର ଶରୀରକୁ ଏକ ବାଲ୍ଟିରେ ଭର୍ତ୍ତି କରି ଡ୍ରେନରେ ଫିଙ୍ଗି ଦେଇଥିଲା । ଡିସିପି ଶ୍ରୀନିବାସ ରାଓଙ୍କ କହିବାନୁସାରେ ଆର୍ଥିକ ବିବାଦକୁ ନେଇ ଅବଦୁଲକୁ ହତ୍ୟା କରାଯାଇଛି । ଏହାସହ ବଳି ପକାଇବାକୁ ନେଇ ମଧ୍ୟ ସନ୍ଦେହ କରାଯାଉଛି । ପୋଲିସ ଘଟଣାରେ ଅଧିତ ତଦନ୍ତ ଜାରି ରଖିଛି ।