ଶ୍ରୀନଗର:ଘାଟିରେ ବଢିବାରେ ଲାଗିଛି ଅଣସ୍ଥାନୀୟ ଓ କାଶ୍ମୀର ପଣ୍ଡିତଙ୍କ ପ୍ରତି ଲଗାତାର ଆକ୍ରମଣ । ଗତ କିଛି ସପ୍ତାହ ମଧ୍ୟରେ କାଶ୍ମୀର ପଣ୍ଡିତ ରାହୁଲ ଭଟ୍ଟଙ୍କ ସମେତ ଏକାଧିକ ସ୍ଥାନୀୟ ସାଧାରଣ ଲୋକଙ୍କ ହତ୍ୟା ପରେ ଘାଟିରେ ଅଣ କାଶ୍ମୀର ଏବଂ କାଶ୍ମୀର ପଣ୍ଡିତଙ୍କ ସୁରକ୍ଷା ନେଇ ପୁଣି ଚିନ୍ତା ବଢିଛି । ଏହାରି ମଧ୍ୟରେ ଘାଟିରେ କାର୍ଯ୍ୟରତ ଥିବା ପ୍ରାୟ 177 କାଶ୍ମୀର ପଣ୍ଡିତ ଶିକ୍ଷକଙ୍କୁ ସୁରକ୍ଷିତ ସ୍ଥାନକୁ ବଦଳି କରାଯାଇଛି । ଗୁରୁବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ପରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିବା କୁହାଯାଇଛି ।
କାଶ୍ମୀରରେ ଟାର୍ଗେଟ କିିଲିଂ ଜାରି ରହିଛି । ଆତଙ୍କବାଦୀମାନେ ଅଣସ୍ଥାନୀୟଙ୍କ ସମେତ କାଶ୍ମୀର ପଣ୍ଡିତଙ୍କୁ ଅତର୍କିତ ଆକ୍ରମଣ କରି ହତ୍ୟା କରିବାରେ ଲାଗିଛନ୍ତି । ନିକଟରେ ଆତଙ୍କବାଦୀଙ୍କ ଗୁଳିରେ ଦୁଇ ଅଣସ୍ଥାନୀୟ ଶ୍ରମିକଙ୍କ ମୃତ୍ୟୁ ହେବା ପରେ କାଶ୍ମୀର ପଣ୍ଡିତଙ୍କ ସୁରକ୍ଷା ନେଇ ସରକାରଙ୍କ ଚିନ୍ତା ବଢିଛି । ବହୁ ପ୍ରବାସୀ ସରକାରୀ କର୍ମଚାରୀଙ୍କୁ ଘାଟିରୁ ଜମ୍ମୁକୁ ବଦଳି କରାଯାଇଛି । ସେମାନଙ୍କ ପରିବାର ଓ ଅନ୍ୟ ସମ୍ପର୍କୀୟ ମଧ୍ୟ ଘାଟିରୁ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ସୁରକ୍ଷା ବ୍ୟବସ୍ଥା ବଢାଇଛନ୍ତି ସରକାର ।