କୋଲକାତା: ମୁର୍ସିଦାବାଦର ସୁତି-ଅହିରନ ବ୍ରିଜ୍ ରେଲୱେ ଟ୍ରାକ୍ ଉପରେ ରିଲ କରୁଥିବା ବେଳେ ରକ୍ତର ହୋଲି ଖେଳିଲା ଲୌହ ଦାନବ । ରେଲୱେ ଟ୍ରାକ୍ ଉପରେ ରିଲ୍ କରୁଥିବା ସମୟରେ ଏକ ମାଲ ଗାଡି ଆସିଯିବାରୁ ତିନି ଜଣ ଛାତ୍ରଙ୍କ ଅକାଳ ମୃତ୍ୟୁ ଘଟିଛି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ମିଳିଥିବା ତଥ୍ୟ ଅନୁସାରେ ରେଳଲାଇନ ଉପରେ ଉକ୍ତ ତିନି ଜଣ ଛାତ୍ର ମାନେ ରିଲ ଭିଡିଓ ରେକର୍ଡ କରୁଥିଲେ । ଏହାସହ ଆଉ ୨ ଜଣ ଛାତ୍ର ଆହତ ହୋଇ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।
ମୃତ ଛାତ୍ରମାନେ ହେଉଛନ୍ତି ସମିଉଲ ଶେଖ, ଅମାଉଲ ଶେଖ୍ ଓ ରିଆଜ ଶେଖ୍ । ସମସ୍ତ ମୃତକ ସୁତି ଥାନା ଅନ୍ତର୍ଗତ ଇଂଲିଶ ସାହପାରା ଗାଁରେ ରହୁଥିଲେ । ଉକ୍ତ ତିନି ଜଣ ଛାତ୍ରମାନେ ଔରଙ୍ଗାବାଦରେ ଏକ ଘରୋଇ ସ୍କୁଲ୍ରେ ଦଶମ ଶ୍ରେଣୀରେ ପାଠ ପଢ଼ୁଥିଲେ । ରେଲୱେ ପୋଲିସ ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇ ଦେଇଛି । ଏହି ଦୁଃଖ ଦାୟକ ଘଟଣାରେ ଆହତ ହୋଇଥିବା ଛାତ୍ର ମାନେ ହେଉଛନ୍ତି ରୋହିତ ଶେଖ ଏବଂ ଆକାଶ ଶେଖ । ଉଭୟଙ୍କୁ ସ୍ଥାନୀୟ ଜଙ୍ଗୀପୁର ଉପସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସ୍ଥାନୀୟ ସୂତ୍ରକୁ ମିଳିଥିବା ସୂଚନା ଅନୁସାରେ ବୁଧବାର ଦିନ ପାଞ୍ଚ ଜଣ ଛାତ୍ର ସ୍ଥାନୀୟ ରେଳ ଲାଇନ ଉପରେ ଇନ୍ଷ୍ଟା ରିଲ୍ ସୁଟିଂ କରୁଥିଲେ ।