ଥିରୁଅନନ୍ତପୁରମ:କେରଳ ୱାୟାନାଡ ଜିଲ୍ଲା ଥାଲାପୁଝାଠାରେ ଶୁକ୍ରବାର ଖାଇକୁ ଖସିଲା ଜିପ୍ । ଏଥିରେ ଯାଉଥିବା ପ୍ରାୟ ୯ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଅପରାହ୍ନ ୩.୩୦ ସମୟରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଏହି ଶ୍ରମିକମାନେ ଚା' ଗଛ ରୋପଣ ଲାଗି ଯାଉଥିଲେ । ଜିପ୍ଟି ଖାଇକୁ ଖସିବା ପରେ ଏଥିରେ ଥିବା ୯ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି ।
ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜିପ୍ର ନମ୍ବର KL 11B5655 ବୋଲି ଜଣାପଡ଼ିଛି । ତେବେ ଦୁର୍ଘଟଣାର ଖବର ପାଇବା ପରେ ସ୍ଥାନୀୟ ପ୍ରଶାସନ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଏହାପରେ ଗୁରୁତର ରୋଗୀଙ୍କୁ ଚିକିତ୍ସା ଲାଗି ନିକଟସ୍ଥ ହସ୍ପିଟାଲକୁ ପଠାଯାଇଛି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଜିପ୍ଟି ଆବଶ୍ୟକଠାରୁ ଅଧିକ ଲୋକଙ୍କୁ ନେଇ ଯାତ୍ରା କରୁଥିବାରୁ ଭାରସାମ୍ୟ ହରାଇ ଏହି ଦୁର୍ଘଟଣାର ଶିକାର ହୋଇଛି ।
ଏହା ବି ପଢନ୍ତୁ- ଶ୍ରାଦ୍ଧ ଭୋଜି ଖାଇ ଫେରୁଥିଲେ କେନାଲକୁ ଖସିଲା ସ୍କର୍ପିଓ, 5 ମୃତ
ସୂଚନା ଥାଉ କି ବିହାରରେ ମଧ୍ୟ ଏଭଳି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଥିଲା । ଶ୍ରାଦ୍ଧ ଭୋଜି ଖାଇ ଫେରୁଥିବା ସମୟରେ ଘଟିଥିଲା ଅଘଟଣ । ଭାରସାମ୍ୟ ହରାଇ ରାସ୍ତାରୁ କେନାଲକୁ ସ୍କର୍ପିଓ ଖସିବା ପରେ ଗୋଟିଏ ପରିବାରର ୫ ଜଣଙ୍କର ମୃତ୍ୟୁ ଘଟିଥିଲା । ସମସ୍ତ ମୃତକ ଗୋପାଳଗଞ୍ଜ ଜିଲ୍ଲାର ହୋଇଥିବା ବେଳେ ସେମାନଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି । ସ୍କର୍ପିଓଟି ପ୍ରାୟ 15 ଫୁଟ ଗଭୀର କେନାଲକୁ ଖସିପଡିଥିବା ଜଣାପଡିଛି । ଗୋପାଳଗଞ୍ଜ ଜିଲ୍ଲାର ବୈକୁଣ୍ଠମ୍ପୁର ପୋଲିସ ଷ୍ଟେସନ ଅଞ୍ଚଳର ଗୋଟିଏ ପରିବାରର 6ଜଣ ସଦସ୍ୟ ସମ୍ପର୍କୀୟଙ୍କ ଶ୍ରାଦ୍ଧ ଭୋଜି ଖାଇବାକୁ ସିୱାନର ବସନ୍ତପୁର ପୋଲିସ ଷ୍ଟେସନ ଅଞ୍ଚଳର ବାଘି ଗ୍ରାମକୁ ଆସିଥିଲେ ।
ଗୁରୁବାର ବିଳମ୍ବିତ ରାତିରେ ସମସ୍ତେ ଶ୍ରାଦ୍ଧ କାର୍ଯ୍ୟ ସାରିବା ପରେ ଗୋପାଳଗଞ୍ଜ ଅଭିମୁଖେ ଯାତ୍ରା କରିଥିଲେ । ହଠାତ ସ୍କର୍ପିଓ ଭାରସାମ୍ୟ ହରାଇ ମଶ୍ରାକ ପୋଲିସ ଷ୍ଟେସନ ଅଞ୍ଚଳର ଆରଡି କେନାଲରେ ଖସିପଡିଥିଲା । କାରରେ ୬ ଜଣ ଯାତ୍ରା କରୁଥିବା ବେଳେ ୫ ଜଣଙ୍କର ମୃତ୍ୟୁ ଘଟିଛି । ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ପହଞ୍ଚି କାର ମଧ୍ୟରୁ ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ । କିନ୍ତୁ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ । ଏହାପରେ ମୃତଦେହକୁ ବ୍ୟବଚ୍ଛେଦ ଲାଗି ପଠାଯାଇଛି ।