ଓଡିଶା

odisha

By

Published : Feb 19, 2022, 5:28 PM IST

ETV Bharat / bharat

Uttar Pradesh Polls: ମଧ୍ୟଭାଗରେ ସଂଘର୍ଷପୂର୍ଣ୍ଣ ଲଢେଇ କରିବ BJP !

ଚଳିତ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ନେଇ ବିଶେଷଜ୍ଞଙ୍କ ପୂର୍ବାକଳନ । ବିଜେପି ପାଇଁ ଆହ୍ବାନ ହେବ ମଧ୍ୟ ଓ ବୁନ୍ଦେଲଖଣ୍ତ କ୍ଷେତ୍ର । 2017 ବିଧାନସଭା ନିର୍ବାଚନରେ ସମାଜବାଦୀ ପାର୍ଟି ଓ ବହୁଜନ ସମାଜବାଦୀ ପାର୍ଟିର ପାରମ୍ପରିକ ଗଡରେ ୫୯ ଆସନରୁ ୪୯ ଆସନ ଅକ୍ତିଆର କରିବାରେ ସଫଳ ହୋଇଥିଲା ବିଜେପି । ଚଳିତବର୍ଷ ଉକ୍ତ କ୍ଷେତ୍ରରେ ଅତିକମରେ ୩୦ ଆସନରେ ଆଗରେ ରହିବ ଯାଦବଙ୍କ ପ୍ରଭାବ । ପୂର୍ବାନୂମାନ କଲେ ବରିଷ୍ଠ ସାମ୍ବାଦିକ ରତନମଣି ଲାଲ । ଅଧିକ ପଢନ୍ତୁ

Uttar Pradesh Polls: BJP ପାଇଁ ପରୀକ୍ଷା ହେବ ମଧ୍ୟ ଉତ୍ତର ପ୍ରଦେଶ ଓ ବୁନ୍ଦେଲଖଣ୍ଡ
Uttar Pradesh Polls: BJP ପାଇଁ ପରୀକ୍ଷା ହେବ ମଧ୍ୟ ଉତ୍ତର ପ୍ରଦେଶ ଓ ବୁନ୍ଦେଲଖଣ୍ଡ

ଲକ୍ଷ୍ନୌ:ଉତ୍ତର ପ୍ରଦେଶ ବିଧାନସଭା ଫଳାଫଳ ଉପରେ ସମଗ୍ର ଦେଶର ନଜର ଥିବାବେଳେ ଆସନ୍ତାକାଲି (ରବିବାର) ତୃତୀୟ ପର୍ଯ୍ୟାୟ ମତଦାନ ହେବାକୁ ଯାଉଛି । ରାଜ୍ୟରେ ବେଶ ପ୍ରଭାବ ରଖୁଥିବା ମଧ୍ୟ ଉତ୍ତର ପ୍ରଦେଶ ଓ ବୁନ୍ଦେଲଖଣ୍ଡ କ୍ଷେତ୍ର ଉପରେ ବର୍ତ୍ତମାନ ସମସ୍ତଙ୍କ ନଜର । ବିଜେପି ଗତଥର (୨୦୧୭) ରେ ଭଲ ପ୍ରଦର୍ଶନ କରିଥିବା ବେଳେ ପୁଣିଥରେ ସେହି ସଂଖ୍ୟାରେ ଆସନ ହାତେଇବା ପାଇଁ ପ୍ରୟାସ ଜାରି ରଖିଥିବା ବେଳେ ଅନ୍ୟ ପ୍ରତିଦ୍ବନ୍ଦୀମାନେ ମଧ୍ୟ ନିଜର ଆଧିପତ୍ୟ ନେଇ ଆପ୍ରାଣ ପ୍ରୟାସ ଜାରି ରଖିଛନ୍ତି ।

ଆସନ୍ତାକାଲି (୨୦ ତାରିଖ) ତୃତୀୟ ପର୍ଯ୍ୟାୟରେ ମଧ୍ୟ ଉତ୍ତର ପ୍ରଦେଶର ୧୬ ଜିଲ୍ଲାର ୫୯ ଆସନରେ ମତଦାନ ହେବାକୁ ଯାଉଛି । ଏଥର ୨.୧୫ କୋଟି ଭୋଟର ମୈଦାନରେ ଥିବା ୬୨୭ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ତୃତୀୟ ପର୍ଯ୍ୟାୟରେ ହେବାକୁ ଥିବା ଜିଲ୍ଲାଗୁଡିକ ମଧ୍ୟରେ ହାଥରସ, କାସଗଞ୍ଜ, ଏଥା, ଫିରୋଜାବାଦ, ମୈନପୁରୀ, ଫାରୁକାବାଦ, କନୈଜ, ଇଟାୱା, ଔରିୟା, ଜଲାୟୁଁ, କାନପୁର ନଗର, କାନପୁର ଦେହାତ, ହମିରପୁର, ମହୋବା ଓ ଝାନ୍ସି ଆଦି ଜିଲ୍ଲା ରହିଛି ।

2017ରେ ପୂର୍ବ ଧାରାକୁ ଭାଙ୍ଗିଥିଲା BJP:-

ତୃତୀୟ ପର୍ଯ୍ୟାରେ ମତଦାନ ହେବାକୁ ଥିବା ନିର୍ବାଚନ ମଣ୍ଡଳୀ ମଧ୍ୟରୁ ଅନେକ କ୍ଷେତ୍ର ସମାଜବାଦୀ ପାର୍ଟି ଓ ବହୁଜନ ସମାଜବାଦୀ ପାର୍ଟିର ଗଡ ଭାବେ ମଧ୍ୟ ରହିଆସିଛି । ତେବେ ଗତ ନିର୍ବାଚରେ ବିଜେପି ଏହି ପାରମ୍ପାରିକ ଧାରାକୁ ଭାଙ୍ଗିବାରେ ସଫଳ ରହିଥିଲା । ୨୦୧୭ ବିଧାନସଭା ନିର୍ବାଚନରେ ବିଜେପି ଉକ୍ତ କ୍ଷେତ୍ର ଅଧୀନରେ ଆସୁଥିବା ମୋଟ ୫୯ ବିଧାନସଭା କ୍ଷେତ୍ରରୁ ୪୯ ଟି ଆସନ ଜିତି ବିରୋଧୀଙ୍କୁ ମାତ ଦେବାରେ ସଫଳ ହୋଇଥିଲା ।

ବିଜେପିର ମୁଖ୍ୟ ପ୍ରତିଦ୍ବନ୍ଦୀ ସମାଜବାଦୀ ପାର୍ଟି ଓ କଂଗ୍ରେସ ମେଣ୍ଟ ମାତ୍ର ୯ ଆସନରେ ସୀମିତ ରହିବାକୁ ବାଧ୍ୟ ହୋଇଥିଲେ । ଏହି କ୍ଷେତ୍ରରେ ପ୍ରାୟ ୩୦ ଆସନରେ ଯାଦବଙ୍କ ପ୍ରଭାବ ଦେଖାଯାଏ । ତେବେ ଚଳିତବର୍ଷ ମଧ୍ୟ ଏହି କ୍ଷେତ୍ର ପୁଣି ଥରେ ଚର୍ଚ୍ଚାରେ ରହିବାକୁ ଯାଉଛି । କାରଣ ଶାସକ ବିଜେପିକୁ ଟକ୍କର ଦେଉଥିବା ସପା ମୁଖ୍ୟ ଅଖିଳେଶ ଯାଦବ ମୈନପୁରୀର କରହଲ ବିଧାନସଭା ଆସନରୁ ମୈଦାନକୁ ଓହ୍ଲାଇଛନ୍ତି, ଯାହା ତାଙ୍କର ପାରିବାରିକ ପ୍ରଭାବରେ ମଧ୍ୟ ରହିଥାଏ । ଏକଦା ପିତା ମୁଲାୟମଙ୍କ ସୁରକ୍ଷିତ ଗଡ କୁହାଯାଉଥିବା ଏହି କରହଲ ଆସନରୁ ଶକ୍ତି ପରୀକ୍ଷା କରିବେ ପୁଅ ଅଖିଳେଶ ।

ସମୀକରଣ ବଦଳାଇପାରନ୍ତି ଦାଦା-ପତୁରା ମେଣ୍ଟ:-

ଆଉ ଏକ ରୋଚକ କ୍ରମରେ ପୂର୍ବରୁ ହାତ ଛାଡିଥିବା ତଥା ବର୍ତ୍ତମାନ ପୁଣି ଥରେ ସହଯୋଗୀ ଭାବେ ଅଖିଳେଶଙ୍କ କାନ୍ଧରେ କାନ୍ଧ ମିଳାଇଥିବା ଦାଦା ଶିବପାଲ ଯାଦବ ମଧ୍ୟ ଯଶୋବନ୍ତନଗର ନିକଟ ଆସନରୁ ନିର୍ବାଚନ ଲଢୁଛନ୍ତି । ତେବେ ଚଳିତଥର ପାରିବାରିକ ଏକତା କେବଳ ଦାଦା ପୁତୁରାଙ୍କ ମଧ୍ୟରେ ସୀମିତ ନାହିଁ ବରଂ ମୁଲାୟମ ମଧ୍ୟ ଏହି ଏକତାକ୍ରମରେ ନଜର ଆସିଛନ୍ତି । ଯାହା ପ୍ରାୟ ୫ ବର୍ଷ ପରେ ଦୃଶ୍ୟମାନ ହେଉଛି । ଏହା ମଧ୍ୟ ଚଳିତ ନିର୍ବାଚନରେ ପ୍ରଭାବ ରଖିପାରେ ବୋଲି ମଧ୍ୟ ସମୀକ୍ଷକ ଆକଳନ କରିବା ଆରମ୍ଭ କଲେଣି । କନୌଜରେ ଭାରତୀୟ ପୋଲିସ ସେବାରୁ ରାଜନୀତିକୁ ଆସିଥିବା ବିଜେପି ପ୍ରାର୍ଥୀ ଅସୀମ ତରୁଣ, ଫୌରକାବାଦରେ ବରିଷ୍ଠ କଂଗ୍ରେସ ନେତା ସଲମାନ ଖୁର୍ସିଦ୍ଦଙ୍କ ପତ୍ନୀ ଲୁଇ ଖୁର୍ସିଦ୍ଦଙ୍କ ମଧ୍ୟରେ ଟକ୍କର ଦେଖିବାକୁ ମିଳୁଥିବା ବେଳେ ଏସପିଏସ ବଘେଲ କରହଲ ଆସନରୁ ଅଖିଳେଶଙ୍କ ବିରୋଧରେ ନିର୍ବାଚନ ଲଢୁଛନ୍ତି ।

ବିଜେପି ପାଇଁ ଆହ୍ବାନ :-

ଚଳିତଥର ଯାଦବ ପରିବାରର ଏକତ୍ରୀକରଣ ରାଜ୍ୟ ମଧ୍ୟଭାଗର ରାଜନୀତିରେ ନୂଆ ସମୀକରଣ ସୃଷ୍ଟି କରିବା ସମ୍ଭାବନା ଦେଖାଯାଉଥିବା ବେଳେ ବିଜେପି ପାଇଁ ଏହା ପୂର୍ବାପେକ୍ଷା ତଥା ୨୦୧୭ ଭଳି ଭଲ ଫଳାଫଳ ପାଇବା ବା ଆସନ ହାତେଇବା ଏତେଟା ସହଜ ନଜର ଆସୁନାହିଁ । ଏହି କ୍ଷେତ୍ରରେ ଅଖିଳେଶ ବେଶ ଆକ୍ରମଣାତ୍ମକ ଭାବେ ପ୍ରଚାର ଜାରି ରଖିଥିବା ବେଳେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଏହି କ୍ଷେତ୍ରରେ ବେଶ ଶକ୍ତି ଲଗାଉଥିବା ନଜର ଆସିଛି ।

ଦ୍ବିତୀୟ ଓ ତୃତୀୟ ପର୍ଯ୍ୟାୟ ମତଦାନ ମଧ୍ୟରେ ୬ ଦିନ ବ୍ୟବଧାନ ଥିବାବେଳେ ଭୋଟରଙ୍କୁ ନିଜ ଆଡକୁ ଟାଣିବା ପାଇଁ ଉଭୟ ପ୍ରତିଦ୍ବିନ୍ଦୀ ଗୋଷ୍ଠୀ ପ୍ରାଣମୁର୍ଚ୍ଛା ଉଦ୍ୟମ ଜାରି ରଖିଛନ୍ତି । ବିଜେପି ଚଳିତଥର ବଂଶବାଦ ରାଜନୀତିକୁ ମୁଦ୍ଦା କରି ଅଖିଳେଶଙ୍କ ପରିବାରକୁ କ୍ରମାଗତ ଆକ୍ରମଣ କରିଚାଲିଛି । ବର୍ଷବର୍ଷ ଧରି ଯାଦବ ପରିବାର ରାଜ୍ୟରେ ବ୍ଲକ ସ୍ତରରୁ ପ୍ରାଦେଶିକ ସ୍ତର ପର୍ଯ୍ୟନ୍ତ ବିଭିନ୍ନ ପଦପଦବୀ ଅକ୍ତିଆର କରିବସିଛି, ଯାହା ଗଣତନ୍ତ୍ର ବିରୋଧୀ ବୋଲି ବିଜେପି କହି ଚାଲିଛି ।

ଏହି ଅଞ୍ଚଳ ଅଧୀନରେ ଆସୁଥିବା ଝାନ୍ସି, ଲଲିତପୁର, ଜାଲାଉଁ, ହମିରପୁର, ମହୋବା, ବୃନ୍ଦା ଏବଂ ଚିତ୍ରକୋଟ ଜିଲ୍ଲା ରହିଛି । 2012 ରେ ବିଏସପି 26.2% ଭୋଟ୍ ସହିତ 19 ଟି ସିଟ୍ ମଧ୍ୟରୁ 7 ଟି ଜିତିଥିଲା । କିନ୍ତୁ 2017 ରେ ବିଜେପି ପ୍ରଥମ ଥର ପାଇଁ ଏହି ସାତଟି ଜିଲ୍ଲାର ସମସ୍ତ ଆସନରେ କ୍ଲିନସ୍ବିପ କରିବା ସହ ସପା ଓ ବସପାକୁ ଉକ୍ତ ସ୍ଥାନରୁ ବେଦଖଲ କରିଥିଲା ।

ପୂର୍ବାପେକ୍ଷା ଭଲ ପ୍ରଦର୍ଶନ ଆଶାରେ ଅଖିଳେଶ ଶିବିର:-

ତେବେ ବିଜେପିର ପରିବାରବାଦ ଆକ୍ରମଣ ସତ୍ତ୍ବେ ମଧ୍ୟ ସପା ଏହି କ୍ଷେତ୍ରରେ ଭଲ ପ୍ରଦର୍ଶନ କରିବା ପାଇଁ ବେଶ ଆଶାବାଦୀ । ମୁଲାୟମ, ଶିବପାଲ ଓ ଅଖିଳେଶଙ୍କ ମିଳିତ ଅଭିଯାନ ଫଳରେ ସେମାନେ ଯଦି ଭୋଟ ପାଆନ୍ତି ତେବେ ସରକାର ଗଠନ କରିବା ଦିଗରେ ସଫଳ ହେବା ଚିନ୍ତା କରି ଲୋକେ ତାଙ୍କୁ ଭୋଟ ଦେବେ ବୋଲି ଆଶା ରଖିଛନ୍ତି ଅଖିଳେଶ ।

ବହୁଜନ ସମାଜବାଦୀ ପାର୍ଟି ମଧ୍ୟ ଆଶାବାଦୀ:-

ବହୁଜନ ସମାଜବାଦୀ ପାର୍ଟି ମଧ୍ୟ ଏହି କ୍ଷେତ୍ରରେ ଭଲ ପ୍ରଦର୍ଶନ କରି ନିଜ ପୂର୍ବ ବିଫଳ ଛବି ସୁଧାରିବା ପାଇଁ ଅଣ୍ଟା ଭିଡିଛି । ତେବେ ଏଠାରେ ଦଳ ସୁପ୍ରିମୋ ମାୟାବତୀ ନିଜ ପାରମ୍ପାରିକ ଗୋଷ୍ଠୀ ଜାଟଙ୍କ ପୂର୍ଣ୍ଣ ସମର୍ଥନ ପାଇବା ଆଶାରେ ରହିଛନ୍ତି । ୨୦୧୯ ରେ ସପା-ବସପା ମେଣ୍ଟ ଏହି ଅଞ୍ଚଳରେ ଭଲ ପ୍ରଦର୍ଶନ କରିପାରିନଥିବା ବେଳେ ବିଜେପି ଉଭୟଙ୍କ ଉପରେ ଭାରି ପଡିଥିଲା ।

ଡକାୟତ ଗ୍ୟାଙ୍ଗକୁ ସମାପ୍ତ କରିବା, ଦଳିତ, ମୁସଲମାନ ଏବଂ ଅନ୍ୟ ହିନ୍ଦୁମାନଙ୍କ ମିଳିତ ଭାଇଚାରାକୁ ବିଏସପି ମୁଦ୍ଦା କରଥିବା ବେଳେ ବିଜେପିର ଜଳ ଯୋଗାଣ ପ୍ରକଳ୍ପ ଏବଂ ଝାନ୍ସିରୁ ଚିତ୍ରକୋଟ ପର୍ଯ୍ୟନ୍ତ ପ୍ରସ୍ତାବିତ ପ୍ରତିରକ୍ଷା କରିଡର ଉପରେ ଧ୍ୟାନ ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି କ୍ଷେତ୍ରରେ ଏକାଧିକ ସମାବେଶକୁ ସମ୍ବୋଧିତ କରିସାରିଛନ୍ତି । ପ୍ରଥମ ଏବଂ ଦ୍ବିତୀୟ ପର୍ଯ୍ୟାୟ ଅପେକ୍ଷା ବିଜେପି ଏହି ପର୍ଯ୍ୟାୟରେ ଅଧିକ ଅନୁକୂଳ ଫଳାଫଳ ପାଇବା ନେଇ ଆଶା ରଖିଛି । ତେବେ ଅନ୍ୟ ପ୍ରତିଦ୍ବନ୍ଦୀମାନେ ମଧ୍ୟ ଫଳାଫଳରେ ଆଗରେ ରହିବା ନେଇ ବେଶ ଆଶାବାଦୀ ।

ବ୍ୟୁରୋ ରିପୋର୍ଟ ଇଟିଭି ଭାରତ

(ଏହି ଆଲେଖ୍ୟରେ ପ୍ରକାଶିତ ମତ ଲେଖକଙ୍କ ବ୍ୟକ୍ତିଗତ ମତାମତ । ଏଠାରେ ପ୍ରକାଶିତ ତଥ୍ୟ ଏବଂ ମତାମତ ETV Bharat ର ମତକୁ ପ୍ରତିଫଳିତ କରେ ନାହିଁ ।)

ABOUT THE AUTHOR

...view details