ଚଣ୍ଡିଗଡ:ପଞ୍ଜାବର ପଟିଆଲାରେ ଖଲିସ୍ତାନୀ ବିରୋଧୀ ଶୋଭାଯାତ୍ରାବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିବା ହିଂସାକାଣ୍ଡର ଗୋଟିଏ ଦିନ ପରେ ରାଜ୍ୟ ପୋଲିସ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ପଞ୍ଜାବ ସରକାର । ଆଇନ ଶୃଙ୍ଖଳା ନିୟନ୍ତ୍ରଣରେ ବିଫଳ ହେବା ଓ କାର୍ଯ୍ୟରେ ଅବହେଳା ପାଇଁ 3 ବରିଷ୍ଠ ପୋଲିସ ଅଧିକାରୀଙ୍କୁ ଦାୟିତ୍ବରୁ ଅପସାରଣ କରାଯାଇଛି ।
ଏହା ଏକ ସାମ୍ପ୍ରଦାୟିକ ହିଂସା ନୁହେଁ ବରଂ ଏକ ରାଜନୈତିକ ହିଂସା ଓ ଏଥିରେ ଶିବସେନା, ଅକାଳୀ ଓ ବିଜେପିର ଏକାଧିକ କର୍ମୀଙ୍କୁ ଗିରଫ କରାଯାଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ । ଅନ୍ୟପଟେ ଆଜି ଶୋଭାଯାତ୍ରାର ଆୟୋଜକ ତଥା ପଞ୍ଜାବ ଶିବସେନା ମୁଖ୍ୟ ହରିଶ ସିଙ୍ଗଲାଙ୍କ ଜାମିନ ଖାରଜ ହେବା ସହ ତାଙ୍କୁ ଦୁଇ ଦିନିଆ ପୋଲିସ ରିମାଣ୍ଡରେ ପଠାଇଛନ୍ତି କୋର୍ଟ ।
ପଟିଆଲା ଜୋନ ପୋଲିସ IG ଓ ସ୍ଥାନୀୟ SSP ଓ SPଙ୍କୁ ଦାୟିତ୍ବରେ ଅବହେଳା ପ୍ରଦର୍ଶନ ପାଇଁ ବଦଳି କରାଯାଇଛି । ସେହିପରି ମୁଖବିନ୍ଦର ସିଂଙ୍କୁ ନୂତନ IG, ଦିପକ ପାରିକଙ୍କୁ SSP ଓ ଓ୍ବାଜିର ସିଂଙ୍କୁ ଜିଲ୍ଲା ଏସପି ଭାବେ ନୂତନ ଦାୟିତ୍ବ ମିଳିଛି । ଏହି ଅଧିକାରୀମାନଙ୍କୁ ତୁରନ୍ତ କାର୍ଯ୍ୟଭାର ଗ୍ରହଣ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶ ମିଳିଛି ।