ରାୟପୁର:ଟମାଟୋ ଦର ଆକାଶ ଛୁଆଁ ରହିଥିବାବେଳେ ଦର ବୃଦ୍ଧିକୁ ନେଇ ବିଭିନ୍ନ ଖବର ସାମ୍ନାକୁ ଆସୁଛି । ତେବେ ଦର ବୃଦ୍ଧି ପରେ ଏଥିପାଇଁ ଅପରାଧ ମଧ୍ୟ ବଢିବାରେ ଲାଗିଛି । ଅନେକ ସ୍ଥାନରୁ ଟମାଟୋ ଚୋରି ବା ଟମାଟୋକୁ ନେଇ ହତ୍ୟା ଖବର ସାମ୍ନା ଆସୁଛି । ସେହିପରି ଏକ ଘଟଣା ଘଟିଛି ଛତିଶଗଡ଼ର କୋରବାରେ । ଜଣେ ପରିବା ଦୋକାନିଙ୍କଠାରୁ ଫିଲ୍ମ ଷ୍ଟାଇଲରେ ଟମାଟୋ ଚୋରି କରି ନେଇଛନ୍ତି ଦୁବୃର୍ତ୍ତ ।
ପନିପରିବା ଭିତରେ ଟମାଟୋର ଚାହିଦା ଢେର ଅଧିକ । ହାଣ୍ଡିଶାଳ ବର୍ତ୍ତମାନ ଟମାଟୋ ଶୂନ୍ୟ ହୋଇ ପଡିଥିବାବେଳେ ଏହାକୁ ତାଳ ଦେଇ ଅନ୍ୟ ପନିପରିବା ଦର ମଧ୍ୟ ଅହେତୁକ ବୃଦ୍ଧି ପାଇଛି । ପୂର୍ବରୁ କିଲୋ ପ୍ରତି ମାତ୍ର 20 ଟଙ୍କାରେ ବିକ୍ରି ହେଉଥିବା ଟମାଟୋର ଦର ପ୍ରଥମେ ସେଞ୍ଚୁରୀ ପାର୍ କରିବା ପରେ ଏବେ 150ଟଙ୍କାକୁ ଛୁଇଁଲାଣି । କୋରବା ସହରର ମାଣିକପୁର ଥାନା ଅଞ୍ଚଳରେ ମଙ୍ଗଳବାର ବିଳମ୍ବିତ ରାତିରେ ଚୋରି ହୋଇଛି ଟମାଟୋ । ପରିବା ବ୍ୟବସାୟୀ କୈଳାଶ ଚନ୍ଦ୍ର ଠାକୁର ଷ୍ଟକ୍ କରି ରଖିଥିବା 25 କିଲୋଗ୍ରାମର ଟମାଟୋକୁ କେହି ରାତାରାତି ନେଇଯାଇଥିବା ଅଭିଯୋଗ ହୋଇଛି । ଟମାଟୋର ବର୍ଦ୍ଧିତ ଦର ଯୋଗୁଁ ସେ ଷ୍ଟକ୍ କରି ରଖୁଥିଲେ । କିନ୍ତୁ କେହି ତାଙ୍କ ଉପରେ ନଜର ରଖି ଟମାଟୋ ଚୋରି କରି ନେଇଥିବା ଅଭିଯୋଗ ହୋଇଛି । କେହି ସ୍ଥାନୀୟ ଲୋକ ହିଁ ଟମାଟୋ ଚୋରି କରି ନେଇଥିବା ଅଭିଯୋଗ ହୋଇଛି ।
ଏନେଇ ମାଣିକପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି କୈଳାଶ ଚନ୍ଦ୍ର ଠାକୁର । ଏହି ଏତଲାକୁ ଭିତ୍ତି କରି ପୋଲିସ ମଧ୍ୟ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି। ତେବେ ପ୍ରତିଦିନ ଟମାଟୋ ଦର ସହିତ ଜଡ଼ିତ ନୂଆ ନୂଆ ଖବର ସାମନାକୁ ଆସୁଥିବାବେଳେ ଆନ୍ଧ୍ରପ୍ରଦେଶରେ ମଧ୍ୟ ଘଟିଛି ଏକ ଲୋମହର୍ଷଣକାରୀ ଘଟଣା ଘଟିଥିବା ଜଣାପଡିଛି । ଅନ୍ନୋମେୟା ଜିଲ୍ଲାରେ ଏକ ଟମାଟୋ ଚାଷୀଙ୍କୁ ହତ୍ୟା କରାଯିବା ଖବର ଏବେ ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ବଡିମଲ୍ଲାଦିନେ ଗାଁର ଟମାଟୋ ଚାଷୀଙ୍କୁ ଅତି ନିର୍ମମ ଭାବେ ଦୁର୍ବୃତ୍ତମାନେ ହତ୍ୟା କରିଛନ୍ତି ।