ଓଡିଶା

odisha

ସୁଆଦିଆ ସେଓ ଶସ୍ତା, ଲାଲ ଟହଟହ ଟମାଟୋ ମହଙ୍ଗା !

By

Published : Jul 4, 2023, 10:23 PM IST

Updated : Jul 4, 2023, 10:36 PM IST

ଦେଶର ବିଭିନ୍ନ ସ୍ଥାନରେ ସେଞ୍ଚୁରୀ ପାର୍ କରିବା ସହିତ ରେକର୍ଡ କରିଛି ଟମାଟୋ ଦର। ହିମାଚଳ ପ୍ରଦେଶରେ ଥିବା ସୋଲନ ମଣ୍ଡିରେ କ୍ବିଣ୍ଟାଲ ପିଛା 2ହଜାର 255ରେ ପହଞ୍ଚିଛି ଟମାଟୋ ଦର। ଅଧିକ ପଢନ୍ତୁ

ହିମାଚଳରେ ରେକର୍ଡ କଲା ଟମାଟୋ ଦର
ହିମାଚଳରେ ରେକର୍ଡ କଲା ଟମାଟୋ ଦର

ନୂଆଦିଲ୍ଲୀ:ସାରା ଦେଶରେ ଟମାଟୋର ଅହେତୁକ ଦର ବୃଦ୍ଧି ଖାଉଟିଙ୍କ ଚିନ୍ତାର କାରଣ ସାଜିଛି। ପୂର୍ବରୁ କିଲୋ ପିଛା 20ଟଙ୍କା ଦରରେ ବିକ୍ରି ହେଉଥିବା ଟମାଟୋ ବର୍ତ୍ତମାନ ସେଞ୍ଚୁରୀ ପାର୍ କରିଛି। ଗତ କିଛି ଦିନ ହେବ ଲଗାତର ଭାବେ ଦର ବୃଦ୍ଧି ପାଇବା କାରଣରୁ ଏବେ ସେଓକୁ ପଛରେ ପକାଇଛି ଟମାଟୋ। ହିମାଚଳ ପ୍ରଦେଶରେ ଥିବା ସୋଲନ ମଣ୍ଡିରେ କ୍ବିଣ୍ଟାଲ ପିଛା 2ହଜାର 255ରେ ପହଞ୍ଚିଛି ଟମାଟୋ ଦର। ହିମାଚଳ ପ୍ରଦେଶରେ ପ୍ରଥମ ଥର ପାଇଁ ଟମାଟୋର ହୋଲସେଲ ରେଟ୍ 100 ଟଙ୍କା ଥିବାବେଳେ ଏହା ଆହୁରି ବଢିବାର ଆଶଙ୍କା ରହିଛି । ସେହିପରି ଉତ୍ତରପ୍ରଦେଶର ବରେଲୀରେ ଟମାଟୋ କିଲୋ ପିଛା 100ରୁ 120ଟଙ୍କା ଲେଖାଏଁ ରହିଥିବାବେଳେ ସେଓର ଦାମ ରହିଛି କିଲୋ ପିଚା 110ଟଙ୍କା। ଅନ୍ୟପଟେ ଟମାଟୋ ସହ ତାଳ ଦେଇ ବଢିବାରେ ଲାଗିଛି ସବୁଜ ପନିପରିବାର ଦର। ଫଳରେ ହାଣ୍ଡିଶାଳକୁ ମହଙ୍ଗା ମାଡ଼ ହେଉଛି। ଦର ବୃଦ୍ଧି କାରଣରୁ ସର୍ବାଧିକ ପ୍ରଭାବିତ ହେଉଛନ୍ତି ଗରିବ ଏବଂ ମଧ୍ୟବିତ୍ତ ଶ୍ରେଣୀର ଲୋକେ।

କାହିଁକି ବଢିଲା ପନିପରିବା ଦର?

ମୌସୁମୀ ଆରମ୍ଭରୁ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଥିବା କାରଣରୁ ଚାଷ ଜମିରେ ପାଣି ପଶି ବ୍ୟାପକ ଫସଲ ନଷ୍ଟ ହୋଇଛି। ଏପରିକି ବିଭିନ୍ନ ସ୍ଥାନରେ ପାଣି ଜମି ରହିଥିବା କାରଣରୁ ଚାଷ ଜମି ପର୍ଯ୍ୟନ୍ତ ଗାଡ଼ି ପହଞ୍ଚି ପାରୁନାହିଁ। ଯେଉଁଥିପାଇଁ ବିକ୍ରି ପାଇଁ ଟମାଟୋ ତଥା ଅନ୍ୟାନ୍ୟ ପନିପରିବା ବଜାରକୁ ଆସିପାରୁନାହିଁ। ତେବେ ମାର୍କେଟକୁ ପରିବା କମ୍ ସପ୍ଲାଇ ହେଉଥିବାରୁ ସେହି ଅନୁସାରେ ଚାହିଦାକୁ ଦେଖିବା ଦର ବୃଦ୍ଧି ହୋଇଥିବା କହିଛନ୍ତି ବ୍ୟବସାୟୀ।

ଏହା ମଧ୍ୟ ପଢନ୍ତୁ...ଆକାଶ ଛୁଆଁ ପରିବା ଦର, ଅସନ୍ତୋଷ ଖାଉଟି

ବିଭିନ୍ନ ସ୍ଥାନରେ କେତେ ରହିଛି ଟମାଟୋ ଦର?

ସାରା ଦେଶରେ ଟମାଟୋ ତଥା ଅନ୍ୟାନ୍ୟ ପନିପରିବାର ଦର ବୃଦ୍ଧି ଖାଉଟିଙ୍କ ପକେଟ ଖାଲି କରିସାରିଲାଣି। ସାଧାରଣ ଲୋକେ ଅତ୍ୟଧିକ ମୂଲ୍ୟ ଦେଇ ଟମାଟୋ କିଣି ପାରୁନଥିବାରୁ ଏବେ ଅନେକଙ୍କ ଥାଳି ପାଲଟିଛି ଟମାଟୋ ଶୂନ୍ୟ। ତେବେ ରାଜଧାନୀ ଦିଲ୍ଲୀରେ ଟମାଟୋ କିଲୋପିଛା ପ୍ରାୟ 60ଟଙ୍କା ଥିବାବେଳେ ଉତ୍ତରାଖଣ୍ଡରେ 80ଟଙ୍କା, ତାମିଲନାଡୁରେ 110ଟଙ୍କା, ଛତିଶଗଡ, ଭୁବନେଶ୍ବର ଓ ଅଗରତାଲାରେ 100ଟଙ୍କା ଲେଖାଏଁ ରହିଛି। ସେହିପରି ରାଜସ୍ଥାନରେ ମଧ୍ୟ ଲାଲ ସୁନା (Red Gold) ପାଲଟିଛି ଟମାଟୋ। ନିଅଣ୍ଟିଆ ବର୍ଷା କାରଣରୁ ରାଜସ୍ଥାନ ଓ ବାଙ୍ଗଲୋରରେ କ୍ବିଣ୍ଟାଲ ପିଛା 1800ରୁ 2000ଲେଖାଏଁ ଟଙ୍କାରେ ବିକ୍ରି ହେଉଛି ଟମାଟୋ। ଯାହାକି ସୁନା ଭଳି ଦର ରହିଥିବାରୁ ଏହାକୁ ଲୋକେ ରେଡ୍ ଗୋଲ୍ଡ ମଧ୍ୟ କହିଲେଣି। ତେବେ ଗୋହରରୁ ଆରମ୍ଭ କରି ବସ୍ସି, ଖାରସି, ନୌଣ, ଚଚ୍ୟୋଟ, ବାସା ଆଦି ଅଞ୍ଚଳରେ ପାଖାପାଖି 500 ହେକ୍ଟର ଚାଷ ଜମିରେ ଟମାଟୋ ଚାଷ ହୋଇଥିବାବେଳେ ଚଢା ଦରରେ ବିକ୍ରି ହେଉଥିବାରୁ ମାଲାମାଲ ହେଉଛନ୍ତି ଚାଷୀ।

ଟମାଟ ଦରରେ ହ୍ରାସ ସମ୍ଭାବନା?

ଯଦିଓ ବର୍ତ୍ତମାନ ସମୟରେ ପନିପରିବା ଦରରେ ଅହେତୁକ ବୃଦ୍ଧି ହେବାରେ ଲାଗିଛି, ତେବେ ଆସନ୍ତା ଅଗଷ୍ଟ ମାସରେ ସ୍ଥିତିରେ ସୁଧାର ଆସିପାରେ ବୋଲି ବିଶେଷଜ୍ଞମାନେ ଆଶା ପ୍ରକଟ କରିଛନ୍ତି । ଦର ବୃଦ୍ଧି ଫଳରେ ଚାଷୀମାନେ ମଧ୍ୟ ଉପକୃତ ହେବା ସହ ବେଶ ଲାଭବାନ ହେଉଛନ୍ତି। ତେବେ ଇତିହାସରେ ପ୍ରଥମ ଥର ପାଇଁ ଅଧିକ ଲାଭ ହେଉଥିବା କହି କହି ଖୁସି ବ୍ୟକ୍ତ କରିଛନ୍ତି ପରିବା ଚାଷୀ।

Last Updated : Jul 4, 2023, 10:36 PM IST

ABOUT THE AUTHOR

...view details