ନୂଆଦିଲ୍ଲୀ: କେନ୍ଦ୍ର କୃଷି ଆଇନ ବିରୋଧରେ 22 ଦିନରେ ପହଞ୍ଚିଛି ଚାଷୀ ଆନ୍ଦୋଳନ । ଏହାରି ମଧ୍ୟରେ କୃଷି ଆଇନକୁ ନେଇ ଚାଷୀଙ୍କ ନାଁରେ ଚିଠି ଲେଖିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର । ଏହି ଚିଠିରେ କୃଷିମନ୍ତ୍ରୀ କୃଷି ସୁଧାର ଆଇନରେ କଣ ସବୁ ଲାଭ ରହିଛି ତାହା ଲେଖିଛନ୍ତି ।
କୃଷିମନ୍ତ୍ରୀଙ୍କ ଚିଠି ଅନୁଯାୟୀ ଆନ୍ଦୋଳନ କରୁଥିବା ଚାଷୀଙ୍କ ମଧ୍ୟରୁ କିଛି ଜଣ ଭ୍ରମ ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି । କୃଷିମନ୍ତ୍ରୀ ଚିଠିରେ ଲେଖିଛନ୍ତି ଯେ ସେ ନିଜେ ଜଣେ ଚାଷୀ ଓ ଚାଷର ଚ୍ୟାଲେଞ୍ଜକୁ ମଧ୍ୟ ବୁଝନ୍ତି । କେନ୍ଦ୍ରରେ ମୋଦି ସରକାର ଗତ 6 ବର୍ଷରୁ ଚାଷୀଙ୍କୁ ସଶକ୍ତ କରିବା ପାଇଁ ପ୍ରୟାସ କରୁଛନ୍ତି ।
ଫସଲର ସର୍ବନିମ୍ନ ସହାୟତା ମୂଲ୍ୟ ଉପରେ କୃଷିମନ୍ତ୍ରୀ କହିଛନ୍ତି, ଏମଏସପି ଜାରି ରହିଛି ଓ ଆଗକୁ ମଧ୍ୟ ଚାଷୀଙ୍କୁ ଏମଏସପି ମିଳିବ । ସେ ଆହୁରି ମଧ୍ୟ କହିଛନ୍ତି, ଅନେକ କୃଷି ସଂଗଠନ କୃଷି ଆଇନର ସ୍ବାଗତ କରିଛନ୍ତି । ହେଲେ ଏହି ଆଇନକୁ ନେଇ କିଛି ଚାଷୀଙ୍କ ମନରେ ଭ୍ରମ ସୃଷ୍ଟି କରାଯାଇଛି, କିନ୍ତୁ ଜଣେ ଚାଷୀ ହିସାବରେ ତାଙ୍କର କର୍ତ୍ତବ୍ୟ ହେଉଛି ଯେ ଚାଷୀଙ୍କ ଆଶଙ୍କା ଓ ଦ୍ବନ୍ଦ ଦୂର କରାଯିବା ଉଚିତ ।
କୃଷିମନ୍ତ୍ରୀ କହିଛନ୍ତି, ନୂଆ କୃଷି ଆଇନ ଲାଗୁ ହେବା ପରେ ଏମଏସପି ଉପରେ ସରକାରୀ କ୍ରୟ ଗତ ସବୁ ରେକର୍ଡ ଭାଙ୍ଗି ଦେଇଛି । ହେଲେ ଏହା ପରେ ମଧ୍ୟ କିଛି ଜଣ ଏମଏସପି ବନ୍ଦ ହୋଇଯିବା ନେଇ ମିଥ୍ୟା ପ୍ରଚାର କରୁଥିବା କହିଛନ୍ତି କୃଷିମନ୍ତ୍ରୀ ।
କୃଷିମନ୍ତ୍ରୀ ନିଜ ଚିଠିରେ କୃଷି ଆଇନକୁ ନେଇ ପ୍ରଚାର ମିଥ୍ୟାର ଜବାବ ମଧ୍ୟ ଦେଇଛନ୍ତି । ରାଜନୈତିକ ସ୍ବାର୍ଥରେ ପ୍ରେରିତ ହୋଇ ଚାଷୀଙ୍କୁ ମିଛ କୁହାଯାଉଛି ଓ ଆଇନକୁ ନେଇ ଭ୍ରମ ସୃଷ୍ଟି କରାଯାଉଛି ବୋଲି ଲେଖିଛନ୍ତି ନରେନ୍ଦ୍ର ସିଂହ ତୋମାର ।