ମୁମ୍ବାଇ:ମହାରାଷ୍ଟ୍ର ଥାଣେ ଜିଲ୍ଲାର ଭିୱଣ୍ଡିରେ ଗତକାଲି (ଶନିବାର) ୨ ମହଲା ଗୋଦାମ ଭୁଶୁଡି ପଡିବା ଘଟଣାରେ ମୃତ୍ୟୁସଂଖ୍ୟା 6କୁ ବୃଦ୍ଧି ପାଇଛି । ଏବେ ମଧ୍ୟ ଉଦ୍ଧାର ଅପରେସନ ଜାରି ରହିଛି । ପ୍ରଥମେ 4 ମୃତଦେହ ଉଦ୍ଧାର ହୋଇଥିବା ବେଳେ ଏବେ ଆଉ ଦୁଇଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଆହତଙ୍କୁ ହସ୍ପିଟାଲରେ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ । ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ପଚାରି ବୁଝିବା ସହ ତ୍ବରିତ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଗତକାଲି(ଶନିବାର) ଅପରାହ୍ନରେ ମହାରାଷ୍ଟ୍ର ଥାଣେ ଜିଲ୍ଲାର ଭିୱଣ୍ଡିରେ ଏହି ଦୁର୍ଘଟଣା ଘଟିଥିଲା । ତେବେ ବର୍ତ୍ତମାନ ଯାଏଁ ମଧ୍ୟ ୧୦ରୁ ୧୨ ଜଣ ଫସି ରହିଥିବା ଆଶଙ୍କାରେ ଉଦ୍ଧାର ଅପରେସନ ଜାରି ରଖାଯାଇଛି । ସ୍ଥାନୀୟ ପୋଲିସ ଓ ଅଗ୍ନିଶମ ଟିମ୍ ସହ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳର ଯବାନମାନେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ଗତକାଲି ହିଁ 10ରୁ 12 ଜଣଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏବେ ସୁଦ୍ଧା ଅଟ୍ଟାଳିକାର ଭଗ୍ନାବଶେଷ ତଳେ ମୃତାହତ ରହିଥିବା ଆଶଙ୍କା କରାଯାଉଛି ।
ସୂଚନାନୁସାରେ, ଗତକାଲି(ଶନିବାର) ଅପରାହ୍ନ ପ୍ରାୟ ୧ଟା ୪୫ ମିନିଟ ସମୟରେ ମନକୋଲି ଭାଲପଡା ବର୍ଦ୍ଧମାନ ଅଞ୍ଚଳରେ ଥିବା ଏକ ଦୁଇ ମହଲା ବିଶିଷ୍ଟ ଗୋଦାମ ଭୁଶୁଡ଼ି ପଡିଥିଲା । ପୋଲିସ ଓ ସ୍ଥାନୀୟ ଲୋକଙ୍କ ସହଯୋଗରେ ପ୍ରଥମେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା ବେଳେ ପରେ ଏଥିରେ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ ମଧ୍ୟ ସାମିଲ ହୋଇଥିଲା । ଗତକାଲି ଜଣେ ୪୦ ବର୍ଷୀୟ ବ୍ୟକ୍ତିଙ୍କ ସହ ୨୬ ବର୍ଷୀୟା ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ପରେ ଆଉ ୨ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଗତକାଲି ସୁଦ୍ଧା 4ଜଣଙ୍କ ମୃତ୍ୟୁ ସ୍ପଷ୍ଟ ହୋଇଥିବା ବେଳେ ଆଜି ଆଉ ଦୁଇ ମୃତଦେହ ଉଦ୍ଧାର ହେବା ସହ ମୃତ୍ୟୁସଂଖ୍ୟା 6କୁ ବୃଦ୍ଧି ପାଇଛି ।
ଏବେ ମଧ୍ୟ କେତେ ମୃତାହତ ଭଙ୍ଗା କୋଠା ତଳେ ଫସି ରହିଛନ୍ତି ସେନେଇ ମଧ୍ୟ କିଛି ସ୍ପଷ୍ଟ ହୋଇନାହିଁ । ଏବେ ଉଦ୍ଧାର ଅପରେସନ ଜାରି ରହିଛି । ଅନ୍ୟପଟେ ଆହତଙ୍କୁ ହସ୍ପିଟାଲରେ ଭେଟି ସେମାନଙ୍କ ଚିକିତ୍ସା ସମ୍ପର୍କରେ ତଦାରଖ କରିଛନ୍ତି । ଦୁର୍ଘଟଣାକୁ ନେଇ ଦୁଃଖପ୍ରକାଶ କରିଥିଲେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ । ମୃତକଙ୍କ ପରିବାରଙ୍କୁ ୫ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଥିବା ବେଳେ ଆହତମାନଙ୍କୁ ସମସ୍ତ ପ୍ରକାର ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ ଘୋଷଣା କରିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ