ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସାମ ଓ ପଶ୍ଚିମବଙ୍ଗ ଗସ୍ତ କରିବେ । ତେବେ ସେଠାରେ ସେ ବିଭିନ୍ନ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ବୋଲି ଜଣାପଡିଛି । ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।
ଆସାମର ଧେମାଜିର ଶିଲାପଥର ଅଞ୍ଚଳରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ସୋମବାର ସକାଳ 11ଟା 30ମିନିଟରେ ସେ ତୈଳ ଓ ଗ୍ୟାସ ସେକ୍ଟର ସମ୍ବନ୍ଧିତ ବିଭିନ୍ନ ପ୍ରକଳ୍ପକୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ କରିବେ । ଏହି କାର୍ଯ୍ୟକ୍ରମରେ ସେ ଇଞ୍ଜିନିୟରିଂ କଲେଜର ପ୍ରତିଷ୍ଠା କରିବା ସହିତ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ । ଏହାପରେ ମୋଦି ପଶ୍ଚିମବଙ୍ଗର ହୁଗୁଳି ଗସ୍ତ କରି ବିଭିନ୍ନ ରେଲୱେ ପ୍ରକଳ୍ପର ଉଦଘାଟନ କରି ଦେଶବାସୀଙ୍କୁ ଉତ୍ସର୍ଗକୃତ କରିବେ ବୋଲି ଜଣାପଡିଛି ।
ଆସାମରେ ମୋଦି ଇଣ୍ଡିଆନ ଅଏଲ୍ସ ବଙ୍ଗାଏଗାଉନ ରେଫିନାରୀରେ INDMAX ଓ ମଧୁବନର ଅଏଲ ଇଣ୍ଡିଆ ଲିମିଟେଡ୍ସର ସେକେଣ୍ଡାରୀ ଟ୍ୟାଙ୍କ ଓ ମକୁମ ହେବେଗା ଗ୍ରାମର ଗ୍ୟାସ କମ୍ପେସର ଷ୍ଟେସନକୁ ଦେଶବାସୀଙ୍କ ପାଇଁ ଉତ୍ସର୍ଗୀକୃତ କରିବେ । ଏହାସହିତ ଧେମାଜି ଇଞ୍ଜିନୟରିଂ କଲେଜର ଉଦଘାଟନ କରିବା ସହିତ ସୁଆଲକୁଚି ଇଞ୍ଜିନିୟରିଂ କଲେଜରେ ଭିତ୍ତିପ୍ରସ୍ତର ସ୍ଥାପନ କରିବେ । INDMAX ୟୁନିଟରେ ଏଲପିଜି ଗ୍ୟାସ ଓ ହାଇ-ଅକ୍ଟେନ ଗ୍ୟାସୋଲିନକୁ ବିପୁଳ ପରିମାଣରେ ଉତ୍ପାଦନ କରାଯିବ । ତେବେ ଏଠାରେ ପୂର୍ବରୁ ବର୍ଷକୁ 2.35 ମିଲିୟନ ମେଟ୍ରିକ ଟନ୍ ଗ୍ୟାସ ଉତ୍ପାଦନ ହେଉଥିବା ବେଳେ ଏହାକୁ ବର୍ତ୍ତମାନ ବର୍ଦ୍ଧିତ କରାଯାଇ ବର୍ଷକୁ 2.7 ମିଲିୟନ ମେଟ୍ରିକ ଟନ ଗ୍ୟାସ ଉତ୍ପାଦନ କରାଯିବ । ସେହିପରି ଏଲପିଜି ଗ୍ୟାସ ଉତ୍ପାଦନକୁ ମଧ୍ୟ 50 TMT(ହଜାର ମେଟ୍ରିକ ଟନ୍)ରୁ 257 ମେଟ୍ରିକ ଟନ୍ ଏବଂ ପେଟ୍ରୋଲ ଉତ୍ପାଦନକୁ 210 TMTରୁ 5TMT ଉତ୍ପାଦନ କରାଯିବ ।