ମୁମ୍ବାଇ: ଦେଶର 13 ରାଜ୍ୟରେ ପହଞ୍ଚିଛି କୋରୋନା ଟୀକା‘ କୋଭାସିଲ୍ଡ’। ପୁଣେର ସେରମ ଇନଷ୍ଟିଚ୍ୟୁଟ ଦ୍ବାରା ପ୍ରସ୍ତୁତ କୋରୋନା ଟିକା ପ୍ରେରଣ ଆରମ୍ଭ ହୋଇଛି । ଏହି ଅବସରରେ ଏହାକୁ ଏକ ଐତିହାସିକ ମୁହୂର୍ତ୍ତ ବୋଲି ଦର୍ଶାଇଛନ୍ତି ସେରମ ଇନଷ୍ଟିଚ୍ୟୁଟ ମୁଖ୍ୟ ତଥା କମ୍ପାନୀର ସିଇଓ ଆଦର ପୁନାଓ୍ବାଲା । ପୁନଓ୍ବାଲା କହିଛନ୍ତି ଯେ ଏହା ଆମ ପାଇଁ ଗର୍ବ ଓ ଐତିହାସିକ ଦିନ । ଆଜିଠାରୁ ଟିକା ଯୋଗାଣ ହୋଇଛି । କିନ୍ତୁ ଏହାକୁ ନେଇ ଆମ ସାମ୍ନାରେ ବର୍ତ୍ତମାନ ଅନେକ ଆହ୍ବାନ ରହିଛି । ଦେଶର ପ୍ରତ୍ୟେକ ନାଗରିକଙ୍କ ପାଖରେ ଏହାକୁ ପହଞ୍ଚାଇବା ଆମର ପ୍ରାଥମିକତା । ଚଳିତ ବର୍ଷ ମଧ୍ୟରେ ଏହି ଟିକାର ଉତ୍ପାଦନ ଓ ଦେଶର ଆବଶ୍ୟକତା ଅନୁସାରେ ସମସ୍ତଙ୍କ ପାଖରେ ଉପଲବ୍ଧ କରାଇବା ଦିଗରେ କମ୍ପାନୀ ଅଗ୍ରାଧିକାର ଭିତ୍ତିରେ କାମ କରିବ ବୋଲି ସେ କହିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ କେବଳ ଆମ ଦେଶ ଭାରତ ନୁହେଁ, ଆମେ ଆଫ୍ରିକା, ଦକ୍ଷିଣ ଆମେରିକାକୁ ବି ଟିକା ଯୋଗାଇବାକୁ ଚେଷ୍ଟା କରୁଛୁ | ଅନ୍ୟ କିଛି ପଡୋଶୀ ଦେଶ ମଧ୍ୟ ଆମ ଦ୍ବାରା ପ୍ରସ୍ତୁତ କୋଭାସିଲ୍ଡ କିଣିବା ପାଇଁ ଆଗ୍ରହ ଦେଖାଇଛନ୍ତି । ଭାରତ ସରକାରଙ୍କୁ ଓ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ ମଧ୍ୟ ଆସୁଛି । ଦେଶର ଆବଶ୍ୟକତା ପୂରଣ କରିବା ସହ ପଡୋଶୀ ମାନଙ୍କ ଆବଶ୍ୟକତା ପୂରଣ କରିବା ଦିଗରେ ମଧ୍ୟ ଆମେ ଦାୟିତ୍ବଶୀଳ ଅଛୁ।