ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ନିୟନ୍ତ୍ରଣକୁ ଆସିଛି କୋରୋନା ସଂକ୍ରମଣ । ଏଣୁ ଦିଲ୍ଲୀରେ ଗତ ମେ 31 ତାରିଖରେ ତାଲାବନ୍ଦ କଟକଣାକୁ କୋହଳ କରାଯାଇଥିବା ବେଳେ ଆଜି(ଶନିବାର) ଅନଲକ ଯୋଜନାକୁ ନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବଡ ଘୋଷଣା କରିପାରନ୍ତି ।
ଦିଲ୍ଲୀରେ ସଂକ୍ରମଣ ଦ୍ରୁତ ଗତିରେ ବଢିବା ପରେ ସରକାର ସମ୍ପୂର୍ଣ୍ଣ ଲକଡାଉନ ଘୋଷଣା କରିଥିଲେ । ସଂକ୍ରମଣ ହ୍ରାସ କରିବାରେ ଦିଲ୍ଲୀରେ ଲକଡାଉନ ସଫଳ ହୋଇଛି । ଏହାପରେ ସରକାର ଗତ ମେ 31 ତାରିଖରେ ଦିଲ୍ଲୀରେ ଲକଡାଉନ ଯୋଗୁଁ ବନ୍ଦ ଥିବା କଳକାରଖାନା ଓ ନିର୍ମାଣ କାର୍ଯ୍ୟକୁ ଆରମ୍ଭ କରିବାକୁ ଅନୁମତି ଦେଇଥିଲେ । ଦେଶରେ ଦ୍ବିତୀୟ ଲହର ପରେ ଦେଶର ରାଜଧାନୀରେ ଗତ ଏପ୍ରିଲ 19 ତାରିଖଠାରୁ ଲକଡାଉନ ଲାଗୁ ହୋଇଥିଲା । ଏହାପରେ ସହରରେ କୋରୋନାର ଗମ୍ଭୀର ସ୍ଥିତି ଦେଖିବାକୁ ମିଳିଥିଲା ।