ହାଇଦ୍ରାବାଦ:କାର୍ଯ୍ୟକ୍ରମ ପ୍ରସ୍ତୁତି କାର୍ଯ୍ୟ ସମୀକ୍ଷା କରିବା ବେଳେ ରାଗିଗଲେ ମନ୍ତ୍ରୀ । ଆୟୋଜନ ଦାୟିତ୍ବରେ ଥିବା କର୍ମୀଙ୍କୁ ଫିଙ୍ଗିଲେ ପଥର । ତାମିଲନାଡୁ ମନ୍ତ୍ରୀ ଏସ.ଏମ ନାସରଙ୍କ ଏପରି ପଥର ଫିଙ୍ଗିବା ବେଳର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଥିରୁଭୁଲାର ଜିଲ୍ଲାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏପରି ଘଟଣା ଦେଖିବାକୁ ମିଳିଛି । ମନ୍ତ୍ରୀ ନାସର ରାଗି ଯାଇ ନିଜ ଦଳୀୟ କାର୍ଯ୍ଯକର୍ତ୍ତାଙ୍କୁ ପଥର ଫିଙ୍ଗିବା ସମୟ ଭିଡିଓ କ୍ୟାମେରାରେ କଏଦ ହୋଇଛି ।
ଶହୀଦ ଦିବସ ନେଇ ଏକ ବୈଠକ ହେବାର ଥିଲା । ଏଥିରେ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ଅଧ୍ୟକ୍ଷତା କରିବାର କାର୍ଯ୍ୟକ୍ରମ ଥିଲା । ରାଜ୍ୟ କ୍ୟାବିନେଟର ପ୍ରାୟ ସମସ୍ତ ମନ୍ତ୍ରୀ ଓ ଅନ୍ୟ କିଛି ବରିଷ୍ଠ ନେତା ଏଥିରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । କାର୍ଯ୍ୟକ୍ରମସ୍ଥଳରେ ନିଜର କିଛି ସହଯୋଗୀ ସହ ପହଞ୍ଚିଥିଲେ ରାଜ୍ୟ ଡାଏରୀ ମନ୍ତ୍ରୀ ଏସ.ଏମ ନାସର । ତେବେ ସେ କାର୍ଯ୍ୟକ୍ରମ ପ୍ରସ୍ତତି, ମଞ୍ଚ ଓ ଅତିଥିଙ୍କ ବସିବା ବ୍ୟବସ୍ଥା ସମ୍ପର୍କିତ ପ୍ରସ୍ତୁତି କାର୍ଯ୍ୟ ତଦାରଖ କରିଥିଲେ । କୌଣସି କାର୍ଯ୍ୟରେ ତ୍ରୁଟି ଦେଖି ସେ କର୍ମୀଙ୍କ ଉପରେ ବିରକ୍ତ ହୋଇଉଠିଥିଲେ । ଏତେ ମାତ୍ରାରେ ଉତ୍ତେଜିତ ହୋଇଉଠିଥିଲେ ଯେ, ହାତରେ ଏକ ପଥର ଧରି କର୍ମୀଙ୍କୁ ଫିଙ୍ଗିଥିଲେ । ମନ୍ତ୍ରୀଙ୍କ ଏହି କ୍ରୋଧିତ ସମୟର ଏ ଭିଡିଓ କ୍ୟାମେରାରେ ରେକର୍ଡ ହୋଇଛି । ଯାହା ବେଶ ଭାଇରାଲ ହେବାରେ ଲାଗିଛି । ଏନେଇ ଦଳର କୌଣସି ପ୍ରତିକ୍ରିୟା ସାମ୍ନାକୁ ଆସିନି ।