ଚେନ୍ନାଇ:ତାମିଲନାଡୁରେ ଜାରି ରହିଥିବା ପ୍ରବାସୀ ଶ୍ରମିକ ଆକ୍ରମଣ ଅଭିଯୋଗ ଘଟଣା ମଧ୍ୟରେ ପ୍ରବାସୀଙ୍କ ସମ୍ପର୍କରେ ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି ତାମିଲନାଡୁର ଜଣେ ରାଜନେତା । ଅଭିନେତାରୁ ରାଜନେତା ହୋଇଥିବା ତଥା NTK ମୁଖ୍ୟ ସିମାନଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଛି । ସେ ପ୍ରବାସୀ ଶ୍ରମିକଙ୍କ ପ୍ରତି ଆପତ୍ତିଜନକ ତଥା ଧମକପୂର୍ଣ୍ଣ ମନ୍ତବ୍ୟ ଦେଇଥିଲେ । ଏ ସମ୍ପର୍କରେ ଏକାଧିକ ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା । ଆଜି ପୋଲିସ ତାଙ୍କ ବିରୋଧରେ ମମଲା ରୁଜୁ କରିଛି । ଖୁବଶୀଘ୍ର ସେ ଗିରଫ ହେବାର ଆଶଙ୍କା ମଧ୍ୟ ସୃଷ୍ଟି ହୋଇଛି ।
ଅଭିଯୋଗ ଅନୁସାରେ ଫେବୃଆରୀ 13 ତାରିଖରେ ଏକ ସଭାକୁ ସମ୍ବୋଧିତ କରିବା ସମୟରେ ଏହି ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ । ସେ ତାମିଲନାଡୁରେ କାର୍ଯ୍ୟରତ ଥିବା ପ୍ରବାସୀ ଶ୍ରମିକଙ୍କ ବିରୋଧରେ ଧମକପୂର୍ଣ୍ଣ ମନ୍ତବ୍ୟ ଦେଇଥିବା ନେଇ ଏକାଧିକ ଭିଡିଓ ଭାଇରାଲ ହୋଇଥିଲା । ତାଙ୍କ ବିରୋଧରେ ହିଂସା ସୃଷ୍ଟି କରିବା ପାଇଁ ଉତ୍ତେଜନାମୂଳକ ମନ୍ତବ୍ୟ ଦେବା ଅଭିଯୋଗରେ ମାମଲା ରୁଜୁ ହୋଇଛି ।
ସିମାନଙ୍କ ଭିଡିଓକୁ ଟ୍ବିଟ କରି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରାଜନୈତିକ ରଣନୀତିକାର ପ୍ରଶାନ୍ତ କିଶୋର ଟ୍ବିଟ କରିଥିଲେ । ଏପରି ମନ୍ତବ୍ୟ ପାଇଁ ତାମିଲନାଡୁରେ ପ୍ରବାସୀ ତଥା ଉତ୍ତର ଭାରତ ଶ୍ରମିକଙ୍କ ସୁରକ୍ଷା ବିପନ୍ନ ହେଉଥିବା କହିଥିଲେ ପ୍ରଶାନ୍ତ । ସ୍ଥାନୀୟ ଏରୋଡ ପୋଲିସର ସୂଚନା ଅନୁସାରେ କୌଣସି ସାମାଜିକ ବର୍ଗ କିମ୍ବା ସମ୍ପ୍ରଦାୟକୁ ଉତ୍ତେଜିତ କରିବା, ହିଂସା ସୃଷ୍ଟି ପାଇଁ ପ୍ରବର୍ତ୍ତାଇବା, ଜାତୀୟ ଐକ୍ୟକୁ ଭଙ୍ଗ କରିବା ଉଦ୍ଦେଶ୍ୟରେ ମନ୍ତବ୍ୟ ଦେବା ଅଭିଯୋଗରେ ସିମାନଙ୍କ ବିରୋଧରେ ଆଇପିସି ଧାରା-153(B) 505 (1) (C)ରେ ମାମଲା ରୁଜୁ ହୋଇଛି । ସେ ଖୁବଶୀଘ୍ର ଗିରଫ ମଧ୍ୟ ହୋଇପାରନ୍ତି ।