କୋଲକାତା: ଘଣ୍ଟେ କି ଦୁଇ ଘଣ୍ଟା ନୁହେଁ ଦୀର୍ଘ 6 ଘଣ୍ଟାର ଜେରା । ଗୁଡେଇ ତୁଡେଇ ପ୍ରଶ୍ନ ପଚାରିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ବରିଷ୍ଠ ନାଗରିକଙ୍କୁ ଫ୍ଲାଟ ଦେବା ନାମରେ କୋଟି କୋଟି ଟଙ୍କା ହଡପ କରିଥିବା ଅଭିଯୋଗରେ ଟିଏମସି ସାଂସଦ ନୁସରତ ଜାହାଁଙ୍କୁ ଜେରା କରିଛି ଇଡି । ଗତକାଲି(ମଙ୍ଗଳବାର) ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ 6 ଘଣ୍ଟା ଜେରା କରିଥିବା ଜଣାପଡିଛି ।
33 ବର୍ଷୀୟ ଟିଏମସି ସାଂସଦ ତଥା ବଙ୍ଗୀୟ ଅଭିନେତ୍ରୀ ନୁସରତ ଜାହାଁଙ୍କୁ ଗତ ସପ୍ତାହରେ ଜେରା ପାଇଁ ଇଡି ସମନ କରିଥିଲା । ମଙ୍ଗଳବାର ଇଡି ଅଫିସରେ ହାଜର ହୋଇଥିଲେ ନୁସରତ । ତାଙ୍କୁ ଦୀର୍ଘ 6 ଘଣ୍ଟା ପର୍ଯ୍ୟନ୍ତ ଜେରା କରିଥିଲା ଇଡି । ଜେରା ପରେ ଗଣମାଧ୍ୟମ ପ୍ରଶ୍ନର ଉତ୍ତରରେ ପ୍ରତିକ୍ରିୟା ଦେଇ ନୁସରତ କହିଛନ୍ତି,'' ମୋତେ ପଚରାଯାଇଥିବା ସମସ୍ତ ପ୍ରଶ୍ନର ଉତ୍ତର ଦେଇଛି । ସମସ୍ତଙ୍କୁ ଧନ୍ୟବାଦ ।''
ରିପୋର୍ଟ ଅନୁଯାୟୀ, ନୁସରତ ଜାହାଁଙ୍କ ନାମରେ ବରିଷ୍ଠ ନାଗରିକଙ୍କୁ ଫ୍ଲାଟ ଦେବା ନାମରେ କୋଟି କୋଟି ଟଙ୍କା ହଡପ କରିଥିବା ଅଭିଯୋଗ ରହିଛି । ରିୟସ ଇଷ୍ଟେଟ କମ୍ପାନୀ 'ସେଭେନ ସେନ୍ସ ଇନଫ୍ରାଷ୍ଟ୍ରକଚର ପ୍ରାଇଭେଟ ଲିମିଟେଡ' କୋଲକାତାର ନ୍ୟୁ ଟାଉନ ଅଞ୍ଚଳରେ ଫ୍ଲାଟ ଦେବାକୁ କହି ପ୍ରାୟ 400 ଜଣ ବରିଷ୍ଠ ନାଗରିକଙ୍କଠୁ 5 ଲକ୍ଷ ଲେଖାଏଁ ଟଙ୍କା ନେଇଥିଲେ । ଅନେକ ବର୍ଷ ବିତିଥିଲେ ବି ବରିଷ୍ଠ ନାଗରିକଙ୍କୁ ଫ୍ଲାଟ ମିଳିଥିଲା ନା ସେମାନେ ଟଙ୍କା ଫେରସ୍ତ ପାଇଥିଲେ । କମ୍ପାନୀ ସେମାନଙ୍କୁ ଫ୍ଲାଟ ଦେଲାନାହିଁ କି ଟଙ୍କା ବି ଫେରାଇଲା ନାହିଁ ।