କୋଲକାତା:ତୃଣମୂଳ କଂଗ୍ରେସର ବସିଛି ସାଂଗଠନିକ ବୈଠକ । ଏହି ବୈଠକରେ ଦଳର ଜାତୀୟ ସାଧାରଣ ସଂପାଦକ ନିଯୁକ୍ତ କରାଯାଇଛି । ଦଳର ସର୍ବଭାରତୀୟ ସାଧାରଣ ସଂପାଦକ ଭାବରେ ଟିଏମସି ସାଂସଦ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କୁ ଦାୟିତ୍ବ ଦିଆଯାଇଛି ।
ଶନିବାର ତୃଣମୂଳ କଂଗ୍ରେସର ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯୋଗ ଦେଇଥିଲେ । ଏହି ବୈଠକରେ ଆଗାମୀ ଦିନରେ ଦଳର ରଣନୀତି ସମ୍ପର୍କରେ ଆଲୋଚନା କରାଯାଇଥିଲା । ପଶ୍ଚିମବଙ୍ଗରେ ଏକକ ସଂଖ୍ୟାଗରିଷ୍ଠତା ହାସଲ କରି ସରକାର ଗଠନ କରିବା ପରେ ତୃଣମୂଳ କଂଗ୍ରେସ ଦଳର ରଣନୀତିରେ ପରିବର୍ତ୍ତନ କରି ଆଗାମୀ ଦିନରେ ଜାତୀୟସ୍ତରରେ ଅବତୀର୍ଣ୍ଣ ହେବା ଚେଷ୍ଟା ଚଳାଇଛି । ବିଜେପିକୁ ରାଜ୍ୟରେ କଡା ଟକ୍କର ଦେଇ ଏକତରଫା ବିଜୟ ହାସଲ କରିଥିବାରୁ ଆଗାମୀ ଦିନରେ ଏକ ଲକ୍ଷ୍ୟ ନେଇ କାର୍ଯ୍ୟ କରାଯିବାର ଯୋଜନା ପ୍ରସ୍ତୁତ କରୁଛି ଟିଏମସି । ଏହି ଅବସରରେ ଦଳର ବିଭିନ୍ନ ପଦବୀର ଚୟନ କରାଯାଇଥିଲା । ଟିଏମସିର ଜାତୀୟ ସାଧାରଣ ସଂପାଦକ ଭାବରେ ସାଂସଦ ଅଭିଷେକ ବାନାର୍ଜୀଙ୍କୁ ନିଯୁକ୍ତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସେହିପରି ତୃଣମୂଳ କଂଗ୍ରେସର ଯୁବ ସଭାପତି ଭାବରେ ସାୟୋନୀ ଘୋଷକୁ ଦାୟିତ୍ବ ଦିଆଯାଇଛି । ଦଳର ସଂଗଠନକୁ ଜାତୀୟସ୍ତରରେ କ୍ରିୟାଶୀଳ କରିବା ପାଇଁ ନିଷ୍ପତି ନିଆଯାଇଛି ।