କୋଲକାତା: ଆସନ୍ତା ବର୍ଷ ହେବାକୁ ଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାର୍ଟି ତୃଣମୂଳ କଂଗ୍ରେସକୁ ଲାଗିଛି ବଡ ଝଟକା । ମମତା ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଇସ୍ତଫା ଦେଇଛନ୍ତି । ଟିଏମସି ସରକାରରେ ପରିବହନ ମନ୍ତ୍ରୀ ଥିଲେ ଶୁଭେନ୍ଦୁ ।
ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ଶୁଭେନ୍ଦୁ ନାରାଜ ଥିବା ନେଇ ଚର୍ଚ୍ଚା ହେଉଛି । ଏନେଇ ସେ ବିଦ୍ରୋହୀ ଆଭିମୁଖ୍ୟ ଗ୍ରହଣ କରି ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଶୁଭେନ୍ଦୁ ଟିଏମସିର ଜଣେ ପ୍ରଭାବଶାଳୀ ନେତା ରୂପେ ଜଣାଶୁଣା । ଅଧିକାରୀଙ୍କ ଇସ୍ତଫା ନିଶ୍ଚିତ ଭାବରେ ଏବେ ମମତାଙ୍କ ଅଡୁଆ ବଢାଇବ ।
ନିକଟରେ ଶୁଭେନ୍ଦୁ ଅଧିକାରୀ ହୁଗୁଳୀ ନଦୀ ଆୟୋଗ ପଦରୁ ଇସ୍ତଫା ଦେଇଥିଲେ । ତେବେ ଶୁକ୍ରବାର ସେ ମମତା ବାନାର୍ଜୀଙ୍କ ନେତୃତ୍ବାଧିନ ଟିଏମସି ସରକାରର ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ନନ୍ଦୀଗ୍ରାମ ଆନ୍ଦୋଳନ ସୂତ୍ରଧର ଶୁଭେନ୍ଦଙ୍କ ରାଜ୍ୟର 65ଟି ଆସନରେ ଦଖଲ ରହିଥିଲା । ଏପରିସ୍ଥିତିରେ ତାଙ୍କର ମନ୍ତ୍ରୀ ପଦରୁ ଇସ୍ତଫା ଦେବା ଟିଏମସି ପାଇଁ ଏକ ବଡ କ୍ଷତି କୁହାଯାଇପାରେ ।
2007ରେ ପୂର୍ବ ମେଦିନାପୁରରୁ ନେଇ ନନ୍ଦୀଗ୍ରାମର ଏକ ବିଦେଶୀ କମ୍ପାନୀର ଜମିଅଧିଗ୍ରହଣ ବିରୋଧରେ ଆନ୍ଦୋଳନ ନେତୃତ୍ବ ନେଇଥିଲେ । ପୂର୍ବ ମେଦିନାପୁର ଜିଲ୍ଲାର ଏକ ପ୍ରଭାବଶାଳୀ ରାଜନୈତିକ ପରିବାରରେ ଅଧିକାରୀଙ୍କ ଜନ୍ମ । ତାଙ୍କ ବାପା 1982ରେ କାନ୍ଥି ଦକ୍ଷିଣ ବିଧାନସଭା ଆସନରୁ କଂଗ୍ରେସର ବିଧାୟକ ନିର୍ବାଚିତ ହୋଇଥିଲେ । ପରେ ସେ ତୃଣମୂଳ କଂଗ୍ରେସରେ ସାମିଲ ହୋଇଯାଇଥିଲେ । ଶୁଭେନ୍ଦୁ ତୃଣମୂଳ କଂଗ୍ରେସର ସଂସ୍ଥାପକ ସଦସ୍ୟଙ୍କ ମଧ୍ୟରୁ ଜଣେ ।
ତୃଣମୂଳ କଂଗ୍ରେସ ଉପରେ ନାରାଜ ଥିବା ଶୁଭେନ୍ଦୁ ଅଧିକାରୀ ଦଳର ପତାକାକୁ ବହିଷ୍କାର କରିଥିଲେ । ଏପରିସ୍ଥିତିରେ ଅଧିକାରୀ ବିଦ୍ରୋହୀ ଆଭିମୁଖ୍ୟ ଆପଣାଇଥିବା ସ୍ପଷ୍ଟ ହୋଇସାରିଛି । ଅଧିକାରୀ ଖୁବ ଶିଘ୍ର ତାଙ୍କର ନୂଆ ରାଜନୈତିକ ରଣନୀତି ପାଇଁ ରୋଡମ୍ୟାପ ପ୍ରସ୍ତୁତ କରିପାରନ୍ତି ବୋଲି କୁହାଯାଉଛି ।
ତେବେ ଅନ୍ୟପକ୍ଷେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ଟିଏମିରେ ଇସ୍ତଫା ପର୍ବ ଜାରି ରହିଛି । ନିକଟରେ କୁଚବିହାରର ଟିଏମସି ବିଧାୟକ ମିହିର ଗୋସ୍ବାମୀ ଇସ୍ତଫା ଦେଇଥିଲେ । ସେ ମଧ୍ୟ ବାନାର୍ଜୀଙ୍କ ଉପରେ ନାରାଜ ଥିବା କୁହାଯାଉଛି । ତେବେ ମିହିର ଖୁବ ଶିଘ୍ର ବିଜେପିରେ ସାମିଲ ହେବା ନେଇ ଜୋର ଧରିଛି ଚର୍ଚ୍ଚା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ