କୋଲକାତା: ପୂର୍ବତନ ରେଳ ମନ୍ତ୍ରୀ ତଥା ବରିଷ୍ଠ ତୃଣମୂଳ କଂଗ୍ରେସ ନେତା ମୁକୁଲ ରୟ ନିଖୋଜ । ଗତକାଲି(ସୋମବାର) ସନ୍ଧ୍ୟାରୁ ମୁକୁଲ ରୟ ନିଖୋଜ ଥିବା ଅଭିଯୋଗ ହୋଇଛି । ବରିଷ୍ଠ ଟିଏମସି ନେତାଙ୍କ ପୁଅ ସୁଭ୍ରାଗଶୁ ବାପାଙ୍କ ନିଖୋଜ ସମ୍ପର୍କରେ ଦାବି କରିଛନ୍ତି । ତାଙ୍କର କହିବା ଅନୁସାରେ, ଗତକାଲି ସନ୍ଧ୍ୟାରେ ମୁକୁଲ ଇଣ୍ଡିଗୋ ବିମାନ GE-898 ଯୋଗେ ଦିଲ୍ଲୀ ଯିବା ପାଇଁ ଘରୁ ବାହାରିଥିଲେ । ବିମାନ ରାତି ୯ଟା ୫୫ ମିନିଟରେ ରାଜଧାନୀରେ ଅବତରଣ କରିବାର ଥିଲା । ହେଲେ ସେବେଠାରୁ ତାଙ୍କର ବାପାଙ୍କର କୌଣସି ଖୋଜ ଖବର ମିଳିନି ।
ସୁଭ୍ରାଗଶୁ ପିଟିଆଇକୁ କହିଛନ୍ତି ଯେ, ତାଙ୍କ ବାପା ମୁକୁଲ ରୟଙ୍କ କୌଣସି ଖୋଜ ଖବର ମିଳୁନି । ସୋମବାର ସନ୍ଧ୍ୟାରୁ ସେ ନିଖୋଜ ଅଛନ୍ତି । ଏପର୍ଯ୍ୟନ୍ତ ତାଙ୍କ ସହ ଯୋଗାଯୋଗ ହୋଇପାରିନି । ତେବେ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ରବିବାର ଦିନ ମୁକୁଲ ରୟଙ୍କ ନିଜ ପୁଅ ସହ ଝଗଡା ହୋଇଥିଲା । ଏହାପରଠୁ ସେ ନିଖୋଜ ଅଛନ୍ତି । ଏହି ଭେଟେରାନ ରାଜନେତାଙ୍କ ପତ୍ନୀଙ୍କ ବିୟୋଗ ପରେ ସେ ଅନେକ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ସହ ଯୁଝି ହେଉଛନ୍ତି । ଗତ ଫେବୃଆରୀରେ ହଠାତ୍ ତାଙ୍କର ସ୍ବାସ୍ଥ୍ୟାବସ୍ଥା ବିଗିଡିବାରୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡିଥିଲା ।