ବିଗତ ସାତ ସପ୍ତାହ ଧରି କୋଭିଡ୍ ଭୟଙ୍କର ଭାବେ ବୃଦ୍ଧି ପାଉଥିବା ଏବଂ ଗତ ଚାରି ସପ୍ତାହ ହେଲା ବଢୁଥିବା ମୃତ୍ୟୁସଂଖ୍ୟାକୁ ଦେଖି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ସତର୍କ ସୂଚନା ଜାରି କରିଛି । ମହାରାଷ୍ଟ୍ର, ଛତିଶଗଡ଼, କର୍ଣ୍ଣାଟକ, ଉତ୍ତର ପ୍ରଦେଶ, କେରଳ ଏବଂ ଅନ୍ୟାନ୍ୟ ରାଜ୍ୟରେ କୋରୋନା ମାମଲା ସଂଖ୍ୟାରେ ଅତି ସାଂଘାତିକ ଭାବେ ବଢି ଚାଲିଛି ।
ଠିକ୍ ମାର୍ଚ୍ଚ 1, 2021ରେ ଦେଶରେ 15,500 ମାମଲା ରେକର୍ଡ ହୋଇଥିଲା । ଆଜି ମାମଲା ସଂଖ୍ୟା 12 ଗୁଣା ବୃଦ୍ଧି ପାଇଛି । ମହାରାଷ୍ଟ୍ର ଏବଂ ରାୟପୁରରେ ଗୋଟିଏ ଗୋଟିଏ ଶ୍ମଶାନରେ 8ଟି ଲେଖାଏଁ ଶବ ସଂସ୍କାର କରୁଥିବା ଦେଖିବାକୁ ମିଳିଛି । ଛତିଶଗଡ଼ର ସରକାରୀ ହସ୍ପିଟାଲଗୁଡ଼ିକରେ ମୃତଦେହ ଗଦା ଗଦା ହୋଇ ପଡ଼ିରହୁଛି । ଏହି ସ୍ଥିତି ବୟାନ କରୁଛି କୋଭିଡକୁ ଅବହେଳା କରିବାରୁ ଆମକୁ ଏଥିପାଇଁ କେତେ ମୂଲ୍ୟ ଦେବାକୁ ପଡୁଛି । କେନ୍ଦ୍ର ସରକାର କହୁଛନ୍ତି ଯେ, ଗତବର୍ଷରୁ ଦେଖା ଦେଇଥିବା କୋଭିଡ ମହାମାରୀ ଏ ବର୍ଷ ସର୍ବୋଚ୍ଚ ସ୍ତର ଟପିଯିବ । କୋରୋନା ନିର୍ଦ୍ଦେଶାବଳୀକୁ ଅବଜ୍ଞା, ସ୍ଥାନୀୟ ନିର୍ବାଚନ, ବିବାହ ଏବଂ ଅନ୍ୟାନ୍ୟ ଉତ୍ସବରେ ଅଧିକ ସଂଖ୍ୟାରେ ଜନସମାଗମ ଆଦି କାରଣ ଏବେ କୋରୋନା ମାମଲା ସଂଖ୍ୟାରେ ଏପରି ବୃଦ୍ଧି ପାଇଁ ଦାୟୀ ବୋଲି ମତ ପ୍ରକାଶ ପାଉଛି ।
ଅବଶ୍ୟ ଏଠାରେ ପ୍ରଶ୍ନ ଉଠୁଛି ଗତବର୍ଷ ବିଧାନସଭା ନିର୍ବାଚନ ସମୟରେ ଅନୁସରଣ କରାଯାଇଥିବା କୋଭିଡ୍ ପ୍ରୋଟୋକଲ କୁଆଡେ ଗଲା ? ଭଗବାନଙ୍କ ପ୍ରତି ଭକ୍ତି ରହିଲେ କୋରୋନା ପଳାଇଯିବ କହି କୁମ୍ଭ ମେଳା ଆରମ୍ଭ କରାଗଲା । କୁମ୍ଭ ମେଳାରେ ହୋଇଥିବା ବିଶାଳ ସମାବେଶ କୋଭିଡକୁ ଅଧିକ ସଂକ୍ରମିତ କରିବାରେ ସହାୟକ ହେଲା। ଏପରିକି ଦେଶରେ ପ୍ରତ୍ୟେକଙ୍କ ପାଖରେ ଟିକା ପହଞ୍ଚିବା ପୂର୍ବରୁ ଟିକା ଆସିଗଲା ବୋଲି ଆତ୍ମସନ୍ତୋଷ ହାସଲ କରିଥିବା ସରକାରୀ କଳରେ ମଧ୍ୟ କୋଡିଡ ପ୍ରତିଷେଧକ ନେଇ ଅବହେଳା ପ୍ରଦର୍ଶନ କରାଗଲା । ଏପରି ଅବହେଳା ମନୋଭାବ କାରଣରୁ ଭିତରେ ଭିତରେ କୋଭିଡ ସଂକ୍ରମଣ କ୍ରମଶଃ ବଢିବାକୁ ଲାଗିଲା । ବିଶେଷଜ୍ଞଙ୍କ ମତରେ ଏଥିସହିତ ଲୋକଙ୍କର ଅବହେଳା, ଭାଇରାଲ ମ୍ୟୁଟେସନ କାରଣରୁ ମଧ୍ୟ ସ୍ଥିତି ଅତି ଖରାପ ହେବାରେ ଲାଗିଲା । ଗତବର୍ଷ ଏହି ସମୟରେ ଯାହାସବୁ ଘଟିଥିଲା ତାହା ଏବେ ପୁଣି ଥରେ ଘଟିଲା । ହସ୍ପିଟାଲରେ ବେଡ୍, ମେଡିସିନ୍ ଏବଂ ଅକ୍ସିଜେନର ଅଭାବ ଏବେ ସାରା ଦେଶରେ ଆରମ୍ଭ ହୋଇଗଲାଣି ।
ସ୍ଥିତିକୁ ଦେଖି କେନ୍ଦ୍ର ସରକାର ସ୍ପୁଟନିକ୍ ଭି ଏବଂ ଅନ୍ୟ ବିଦେଶୀ ଟିକାର ଜରୁରୀ ବ୍ୟବହାରକୁ ଅନୁମୋଦନ କରିଛନ୍ତି । ବର୍ତ୍ତମାନ ସମୟରେ ସ୍ବାସ୍ଥ୍ୟ ସେବା କ୍ଷେତ୍ର ଯେପରି ସ୍ଥିତିର ମୁକାବିଲା କରିବାରେ ବିଫଳ ନହୁଏ ସେଥିପାଇଁ ଫାର୍ମା ଇଣ୍ଡଷ୍ଟ୍ରି ସହିତ ସମନ୍ବୟ ରକ୍ଷା କରି ସରକାର ବହୁ-ପାକ୍ଷିକ ପଦକ୍ଷେପ ଗ୍ରହଣ କରିବା ଜରୁରୀ ।