ଓଡିଶା

odisha

ETV Bharat / bharat

Cheetah Death: କୁନୋରେ ବଢୁଛି ଚିତା ମୃତ୍ୟୁ, କାରଣ ଖୋଜୁଛି ସ୍ବତନ୍ତ୍ର ଟିମ୍‌ - ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ

କୁନୋ ଜାତୀୟ ଉଦ୍ୟାନରେ ବଢୁଛି ଆଫ୍ରିକୀୟ ଚିତାଙ୍କ ମୃତ୍ୟୁସଂଖ୍ୟା । ମୃତ୍ୟୁର କାରଣ ଖୋଜୁଛି ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (NTCA)ର ସ୍ବତନ୍ତ୍ର ଟିମ୍‌ । ଅଧିକ ପଢନ୍ତୁ

Etv Bharat
Etv Bharat

By

Published : Jul 16, 2023, 9:49 PM IST

ନୂଆଦିଲ୍ଲୀ:ମଧ୍ୟପ୍ରଦେଶ କୁନୋ ଜାତୀୟ ଉଦ୍ୟାନରେ ବଢ଼ିବାରେ ଲାଗିଛି ଆଫ୍ରିକାରୁ ଆସିଥିବା ଚିତାଙ୍କ ମୃତ୍ୟୁସଂଖ୍ୟା । ଏ ନେଇ ଚିନ୍ତା ବଢିଥିବା ବେଳେ ମୃତ୍ୟୁର କାରଣ ଖୋଜିବା ଲାଗି ତଦନ୍ତ ଆରମ୍ଭ କରିଛି ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (NTCA) । ଏ ନେଇ ଅନ୍ତର୍ଜାତୀୟ ସ୍ତରର ଚିତା ବିଶେଷଜ୍ଞଙ୍କ ସହିତ ଆଲୋଚନା କରାଯାଉଥିବା ଏନଟିସିଏ କହିଛି । ଦକ୍ଷିଣ ଆଫ୍ରିକା ନାମିବ୍ୟାର ପଶୁ ଡାକ୍ତରଙ୍କ ସହିତ ଆଲୋଚନା ଚାଲିଥିବା ଏନଟିସିଏ ପକ୍ଷରୁ କୁହାଯାଇଛି ।

କୁନୋ ଜାତୀୟ ଉଦ୍ୟାନରେ ଆଫ୍ରିକୀୟ 20ଟି ଚିତା ମଧ୍ୟରୁ ଏଯାବତ 8 ଚିତାଙ୍କ ମୃତ୍ୟୁ ଘଟିଛି । ପ୍ରାଥମିକ ତଦନ୍ତ ଅନୁସାରେ ଏହି ମୃତ୍ୟୁ ଆକସ୍ମିକ ନୁହେଁ, ବରଂ ଏହା ପ୍ରାକୃତିକ ମୃତ୍ୟୁ ବୋଲି କହିଛି ଏନ୍‌ଟିସିଏ । ହେଲେ ଗଣମାଧ୍ୟମ ସଂସ୍ଥାର ରିପୋର୍ଟ ଅନୁସାରେ ଏହି ଚିତାମାନଙ୍କ ମୃତ୍ୟୁ ରେଡିଓ କଲାର (ଟ୍ରାକିଂ ପାଇଁ ପଶୁଙ୍କ ବେକରେ ବନ୍ଧାଯାଇଥିବା ଏକ ବ୍ୟାଣ୍ଡ) ଯୋଗୁଁ ଘଟୁଛି ବୋଲି ଦର୍ଶାଯାଇଛି । ମାତ୍ର ତାହା କୌଣସି ବୈଜ୍ଞାନିକ ଅନୁସନ୍ଧାନ ଦ୍ବାରା କୁହାଯାଇନାହିଁ । କେବଳ ସନ୍ଦେହ କରି ଲେଖାଯାଇଛି । ମାତ୍ର ଏହି ମୃତ୍ୟୁ ପ୍ରାକୃତିକ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।

ଏହା ବି ପଢନ୍ତୁ- କୁନୋରୁ ସ୍ଥାନାନ୍ତର ହେବେ ଆଫ୍ରିକୀୟ ଚିତା

ପ୍ରୋଜେକ୍ଟ ଚିତା ଅଧୀନରେ ଭାରତ ସରକାର ଆଫ୍ରିକାରୁ ଏହି ଚିତା ଆଣିଥିବା ବେଳେ ଏମାନଙ୍କୁ ଅତି ପାଖରୁ ନିରୀକ୍ଷଣ କରିବା ଲାଗି ସ୍ବତନ୍ତ୍ର ଟିମ୍‌ ମଧ୍ୟ ଗଠନ କରିଥିଲେ । ଏନ୍‌ଟିସିଏର ଏକ ସ୍ବତନ୍ତ୍ର ଟିମ୍‌ ଫିଲ୍ଡ ଅଫିସରଙ୍କ ସହିତ ମିଶି କାମ କରୁଛି । ଚିତାଙ୍କ ସ୍ବାସ୍ଥ୍ୟ ସହିତ ସେମାନଙ୍କ ଗତି ବିଧି ଉପରେ ମଧ୍ୟ ନଜର ରଖାଯାଇଛି । ତେବେ ପ୍ରୋଜେକ୍ଟ ଚିତାକୁ ବର୍ଷେ ପୁରିନଥିବା ବେଳେ ଏହା ବିଫଳ ହୋଇଛି ବୋଲି ଚର୍ଚ୍ଚା ହେଉଛି । ହେଲେ ଏହି କମ ସମୟ ମଧ୍ୟରେ ପ୍ରୋଜେକ୍ଟର ଫଳାଫଳ ନିକଟରେ ପହଞ୍ଚିବା ଉଚିତ ନୁହେଁ । କାରଣ ଏହା ଏକ ଲମ୍ବା ଯାତ୍ରା ବୋଲି କହିଛି ଏନଟିସିଏ ।

ସୂଚନା ଥାଉ କି ଭାରତ ସରକାର ପ୍ରୋଜେକ୍ଟ ଚିତା ଅଧୀନରେ ଦକ୍ଷିଣ ଆଫ୍ରିକାର ନାମିବ୍ୟାରୁ 20ଟି ଚିତା ଭାରତ ଆଣିଥିଲେ । ସେମାନଙ୍କୁ ମଧ୍ୟପ୍ରଦେଶ କୁନୋ ଜାତୀୟ ଉଦ୍ୟାନରେ ରଖାଯାଇଛି । ପ୍ରଥମେ ଏହି ଚିତାମାନଙ୍କୁ କ୍ବାରେଣ୍ଟାଇନରେ ରଖାଯିବା ପରେ ଘଞ୍ଚ ଜଙ୍ଗଲ ମଧ୍ୟରେ ଛଡ଼ା ଯାଇଥିଲା । ହେଲେ ଗତ ମାର୍ଚ୍ଚ 27 ତାରିଖରେ କୁନୋରେ ପ୍ରଥମେ ଚିତା ଶାଶାର ମୃତ୍ୟୁ ଘଟିଥିଲା । ଶାଶା ଭାରତ ଆସିବା ପୂର୍ବରୁ ତାର କିଡନୀ ସଂକ୍ରମିତ ହୋଇଥିଲା । କୁନୋରେ ତାର ସ୍ବାସ୍ଥ୍ୟବସ୍ଥା ବିଗିଡ଼ିବା ପରେ ଯାଞ୍ଚ ସମୟରେ ଏ ସମ୍ପର୍କରେ ଜଣାପଡ଼ିଥିଲା । ପରେ ଏପ୍ରିଲ 23ରେ ଅଣ୍ଡିରା ଚିତା ଉଦୟ ଆଖି ବୁଜିଥିଲା ।

ମେ' ୯ରେ ମାଈ ଚିତା ଦକ୍ଷା ଏବଂ ପରେ ଚିତା ଜ୍ବାଳା ଜନ୍ମ ଦେଇଥିବା ୪ ଶାବକଙ୍କ ମଧ୍ୟରୁ ପ୍ରଥମ ଶାବକର ମୃତ୍ୟୁ ହୋଇଥିଲା । ଏହାର କିଛି ଦିନ ପରେ ଆଉ 2ଟି ଶାବକ ଆଖି ବୁଜିଥିଲେ । ଗତ କିଛି ଦିନ ତଳେ ଆଉ 2ଟି ଚିତାର ମୃତ୍ୟୁ ଘଟିଥିଲା । ତେବେ ଆଫ୍ରିକୀୟ 20ଟି ଚିତାଙ୍କ ମଧ୍ୟରୁ ଏଯାବତ 8ଟି ଚିତା ଆଖି ବୁଜିଥିବା ସୂଚନା ମିଳିଛି ।

ABOUT THE AUTHOR

...view details