ହାଇଦ୍ରାବାଦ: ନୂଆ ଆଶା, ସମ୍ଭାବନା ନେଇ ଉଇଁ ସାରିଥିଲା ସକାଳର ସୂର୍ଯ୍ୟ । ହେଲେ ଅଚାନକ ଯେମିତି ସବୁ କିଛି ବଦଳି ଗଲା । ସେତେ ଯେମିତି ଅଟକି ଗଲା ପବନର ବେଗ । ସ୍ତବ୍ଧ ହୋଇଗଲା ସମସ୍ତଙ୍କ ସ୍ପନ୍ଦନ । ଦୋହଲିଗଲା ଦେଶ । ଯେତେବେଳେ ଖବର ବାଜି ଉଠିଲା ଜମ୍ମୁକାଶ୍ମୀର ପୁଲୱାମାରେ ଏକ ବଡ ଧରଣର ଆତଙ୍କୀ ଆକ୍ରମଣ ହୋଇଛି (3 years of Pulwama Attack)।
ଯେଉଁଥିରେ ଦେଶମାତୃକାର ସେବା କରୁ କରୁ ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିଲେ 40 ଜଣ ଭାରତୀୟ ଯବାନ । 2019 ମସିହା ଫେବୃଆରୀ 14 ତାରିଖରେ ଦେଶକୁ ଦୋହଲାଇ ଦେଇଥିଲା ଏହି ଆକ୍ରମଣ । ଆଜି ଏହି ଆକ୍ରମଣକୁ ୩ ବର୍ଷ ପୂରଣ ହୋଇଛି । ଆକ୍ରମଣ ସେ ଦୃଶ୍ୟ ଆଖି ପଲକୁ ଆସିବା କ୍ଷଣି ଆଜି ବି ଶିହରି ଉଠେ ଦେହ ଆଉ ଥରି ଉଠେ ଛାତି । ଶହୀଦ ଯବାନଙ୍କୁ ଆଜି ବି ମନେ ପକାଇ ଗୁମୁରି ଗୁମୁରି କାନ୍ଦୁଛି ଦେଶ । ଶହୀଦଙ୍କ ପାଇଁ ଲୁହ ଗଡାଉଛନ୍ତି ଦେଶବାସୀ ।
୨୦୧୯ ଫେବ୍ରୁଆରୀ ୧୪ ତାରିଖରେ ଦେଶ ପ୍ରେମ ଦିବସ ପାଳନ କରୁଥିବା ବେଳେ ଜମ୍ମୁ-କାଶ୍ମୀରରୁ ଆସିଥିଲା ଦେଶକୁ ମର୍ମାହତ କରିଦେବା ଭଳି ଏକ ଦୁଃଖଦ ଖବର । ଚାରିଆଡେ ପ୍ରେମର ବାର୍ତ୍ତା ଦିଆଯାଉଥିବା ବେଳେ ଘୃଣାର ମଞ୍ଜି ବୁଣିଥିଲେ ପାକିସ୍ତାନର ଆତଙ୍କବାଦୀ ସଙ୍ଗଠନ ଜୈସ ଏ ମହମ୍ମଦର ଆତଙ୍କବାଦୀ । ଜାମ୍ମୁକାଶ୍ମୀର ପୁଲୱାମାର ଲେଥପୋରା ନିକଟରେ ଧାଡି ଧାଡ଼ି ହୋଇ ଯାଉଥିବା ସିଆରପିଏଫ୍ ଯବାନଙ୍କ ବସ୍ରେ କରିଥିଲେ ଭୟଙ୍କର ବିସ୍ଫୋରଣ ।