ନୂଆଦିଲ୍ଲୀ:ଆସନ୍ତାକାଲି ଶେଷ ହେଉଛି ସଂସଦର ଶୀକକାଳୀନ ଅଧିବେଶନ । ଗୃହକାର୍ଯ୍ୟ ଗୋଟିଏ ଦିନ ବାକି ଥିବା ବେଳେ ଆଜି ଲୋକସଭାରୁ ଆଉ ୩ ଜଣ ସାଂସଦ ନିଲମ୍ବିତ ହୋଇଛନ୍ତି । ନିଲମ୍ବିତ ସାଂସଦମାନେ ହେଲେ କଂଗ୍ରେସର ଦୀପକ ବୈଜ, ନକୁଳ ନାଥ ଏବଂ ଡିକେ ସୁରେଶ । ଏହି ତିନି ଜଣଙ୍କୁ ମିଶାଇ ବର୍ତ୍ତମାନ ସୁଦ୍ଧା ମୋଟ ୧୪୬ ଜଣ ବିରୋଧୀ ସାଂସଦ ସସପେଣ୍ଡ ହୋଇଛନ୍ତି । ଗତକାଲି ଲୋକସଭାର ଦୁଇ ଜଣ ସାଂସଦଙ୍କୁ ନିଲମ୍ବନ କରାଯାଇଥିଲା ।
ଲୋକସଭାରେ ଅଶୋଭନୀୟ ଆଚରଣ ପାଇଁ କଂଗ୍ରେସ ସାଂସଦ ଦୀପକ ବୈଜ, ନକୁଳ ନାଥ ଏବଂ ଡିକେ ସୁରେଶଙ୍କୁ ଶୀତ ଅଧିବେଶନରୁ ନିଲମ୍ବିତ କରାଯାଇଛି । କର୍ଣ୍ଣାଟକରୁ ଲୋକସଭାକୁ ନିର୍ବାଚିତ ହୋଇଥିବା ଡିକେ ସୁରେଶ ହେଉଛନ୍ତି, କର୍ଣ୍ଣାଟକ ଉପ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ଭାଇ । ଆଜି ତିନିଜଣ ନିଲମ୍ବିତ ସାଂସଦଙ୍କୁ ମିଶାଇ ସଂସଦର ଚଳିତ ଶୀତ ଅଧିବେଶନରେ ଲୋକସଭାରୁ ମୋଟ ୧୦୦ ସାଂସଦ ନିଲମ୍ବିତ ହୋଇଛନ୍ତି । ସେହିପରି ଚଳିତ ଶୀତ ଅଧିବେଶନରେ ରାଜ୍ୟସଭାରୁ ୪୬ ଜଣ ସାଂସଦ ନିଲମ୍ବିତ ହୋଇଛନ୍ତି ।
ଏହାମଧ୍ଯ ପଢ଼ନ୍ତୁ: ମୁଖ୍ୟ ନିର୍ବାଚନ କମିଶନ ଓ କମିଶନର ନିଯୁକ୍ତି ବିଲ୍ ଲୋକସଭାରେ ପାସ୍
ଗତକାଲି ଲୋକସଭାରୁ ସସପେଣ୍ଡ ହୋଇଥିଲେ ୨ ଜଣ ସାଂସଦ । ସେମାନେ ହେଲେ କଂଗ୍ରେସର ସି. ଥୋମାସ ଏବଂ ସିପିଆଇର ଏଏମ୍ ଆରିଫ୍ । ପୂର୍ବରୁ ତିନିଦିନ ତଳେ 49 ଜଣ ଲୋକସଭା ସାଂସଦଙ୍କୁ ସଂସଦର ଶୀତ ଅଧିବେଶନରୁ ନିଲମ୍ବିତ କରାଯାଇଥିଲା । ଡିସେମ୍ବର 18 ତାରିଖରେ ଲୋକସଭାରୁ 33 ଜଣ ଓ ରାଜ୍ୟସଭାରୁ 45 ଜଣ ବିରୋଧୀ ସଦସ୍ୟ ସସପେଣ୍ଡ ହୋଇଥିଲେ। ସଂସଦ ଭିତରେ ଅଶୋଭନୀୟ ଆଚରଣ ଅଭିଯୋଗରେ ସେମାନଙ୍କୁ ଚଳିତ ଶୀତ ଅଧିବେଶନରୁ ନିଲମ୍ବିତ କରାଯାଇଥିଲା । ଯାହା କି ଗୋଟିଏ ଦିନରେ ସର୍ବକାଳୀନ ଥିଲା । ପୂର୍ବରୁ ଉଭୟ ଗୃହରୁ 14 ଜଣଙ୍କୁ ନିଲମ୍ବିତ କରାଯାଇଥିଲା । ଏଥିରେ ଥିଲେ ଲୋକସଭାରୁ 13 ଜଣ ଏବଂ ରାଜ୍ୟସଭାରୁ 1। ବର୍ତ୍ତମାନ ସୁଦ୍ଧା ସଂସଦର ଶୀତ ଅଧିବେଶନରୁ ୧୪୬ ଜଣ ବିରୋଧୀ ସାଂସଦ ନିଲମ୍ବିତ ହୋଇଛନ୍ତି ।
ଏହାମଧ୍ଯ ପଢ଼ନ୍ତୁ: ସାଂସଦଙ୍କ ସସପେଣ୍ଡକୁ ନେଇ ବିରୋଧୀଙ୍କ ଗର୍ଜନ, ପାର୍ଲାମେଣ୍ଟରୁ ବିଜୟଚୌକ ମାର୍ଚ୍ଚ
ଚଳିତମାସ ୧୩ ତାରିଖରେ ଲୋକସଭାରେ ସୁରକ୍ଷା ଭଙ୍ଗକୁ ନେଇ ସାଂସଦଙ୍କ ସୁରକ୍ଷାକୁ ନେଇ, ପ୍ରତିବାଦ ଜାରି ରଖିଛନ୍ତି ବିରୋଧୀ ଦଳ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କଠାରୁ ଉତ୍ତର ଦାବିରେ ବିରୋଧ ଜାରି ରଖିଛନ୍ତି । ଆସନ୍ତାକାଲି (ଡିସେମ୍ବର ୨୨) ଶେଷ ହେଉଛି ସଂସଦର ଶୀତ ଅଧିବେଶନ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ