ଥିରୁଅନନ୍ତପୁରମ୍:କେରଳ କୋଟ୍ଟାୟମରୁ ସାମ୍ନାକୁ ଆସିଛି ଭୟଙ୍କର ଚିତ୍ର । କୋଟ୍ଟାୟମ ସ୍ଥିତ ଏରୁମେଲି ଅଞ୍ଚଳରେ ଜଙ୍ଗଲୀ ମଇଁଷି ଆକ୍ରମଣରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ଶୁକ୍ରବାର ସକାଳ ପ୍ରାୟ ୮ଟା ସମୟରେ ନିଜ ଘରେ ବସି ଖବରକାଗଜ ପଢୁଥିବା ସମୟରେ ଜଣେ ବ୍ୟକ୍ତି ଅଚାନକ ଜଙ୍ଗଲୀ ମଇଁଷି ଆକ୍ରମଣର ଶିକାର ହୋଇ ମୃତ୍ୟୁବରଣ ଥିଲେ । ମୃତ ବ୍ୟକ୍ତିଙ୍କର ପଡୋଶୀ ଥୋମାସଙ୍କୁ ମଧ୍ୟ ଆକ୍ରମଣ କରି ରକ୍ତାକ୍ତ କରିଥିଲା ଜଙ୍ଗଲୀ ମଇଁଷି । ପରେ ଚିକିତ୍ସା ପାଇଁ ତାଙ୍କୁ କୋଟ୍ଟାୟମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଚିକିତ୍ସିତ ଅବସ୍ଥାରେ ଥୋମାସଙ୍କର ବି ମୃତ୍ୟୁ ଘଟିଛି । ସେହିପରି କୋଲ୍ଲାୟମ ଜିଲ୍ଲାରୁ ମଧ୍ୟ ସମାନ ଘଟଣା ସାମନାକୁ ଆସିଛି । କୋଲ୍ଲାୟମ ଜିଲ୍ଲା ସ୍ଥିତ ଏଡାମୁଲେକାଲ ଜିଲ୍ଲାରେ ମଧ୍ୟ ଜଙ୍ଗଲୀ ମଇଁଷି ଉପଦ୍ରବ ଦେଖିବାକୁ ମିଳିଛି । ଫଳରେ ସେଠାରେ ମଧ୍ୟ ଜଣେ ବ୍ୟକ୍ତି ଆକ୍ରମଣର ଶିକାର ହୋଇ ଜୀବନ ଯାଇଛି । ଏହାପରେ ପ୍ରଶାସନ ପକ୍ଷରୁ ସୁଟ୍ ଆଟ୍ ସାଇଟ୍ ନିର୍ଦ୍ଦେଶ ଦିଆଯାଇଛି ।
ଗୋଟିଏ ପଟେ ଜଙ୍ଗଲୀ ମଇଁଷି ଉପଦ୍ରବ, ଅନ୍ୟପଟେ ଭାଲୁ ଆକ୍ରମଣ ଯୋଗୁ ଅତିଷ୍ଠ ହୋଇପଡିଛନ୍ତି ସ୍ଥାନୀୟ ଲୋକେ । ପୂର୍ବରୁ ସେଠାରେ ବସବାସ କରୁଥିବା ଆଦିବାସୀ ସମ୍ପ୍ରଦାୟର ଲୋକେ ଭାଲୁ ଆକ୍ରମଣ ନେଇ ଅଭିଯୋଗ କରିଥିଲେ । ଜଙ୍ଗଲୀ ଇଲାକା ହୋଇଥିବା କାରଣରୁ ଅନେକ ସମୟରେ ବନ୍ୟଜନ୍ତୁଙ୍କ ଆକ୍ରମଣର ଶିକାର ହେଉଛନ୍ତି ଲୋକେ । ଗତ ବୁଧବାର ଏରୁମାଲି ଅଞ୍ଚଳର ତୁମରମ୍ପରାଠାରେ ଆକ୍ରମଣର ଶିକାର ହୋଇ ଏକ ଗୃହପାଳିତ ଛେଳି ସମେତ କୁକୁରର ଜୀବନ ଯାଇଥିଲା । ବାଘ ଆକ୍ରମଣ ଯୋଗୁଁ ଏପରି ହୋଇଥିବା ଅଞ୍ଚଳବାସୀ ସନ୍ଦେହ କରୁଥିବାବେଳେ ଏହାକୁ ଖଣ୍ଡନ କରିଛି ବନବିଭାଗ ।