ରାୟପୁର:ଛତିଶଗଡରେ ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଏନକାଉଣ୍ଟର । ନକ୍ସଲଙ୍କ ଗୁଳିରେ 3 ଜଣ ପୋଲିସ କର୍ମୀ ଶହୀଦ ହୋଇଥିବା ସୂଚନା ମିଳିଛି । ଛତିଶଗଡର ସୁକୁମା ଜିଲ୍ଲାରେ ଏହି ଏନକାଉଣ୍ଟର ହୋଇଥିବା ବେଳେ ତିନି ଶହୀଦ ଯବାନ ହେଉଛନ୍ତି ଏଏସଆଇ ରାମୁରାମ ନାଗ, ଆସିଷ୍ଟାଣ୍ଟ କନଷ୍ଟେବଳ କୁଞ୍ଜାମ ଯୋଗା ଏବଂ ସୈନିକ ଭଞ୍ଜମ ଭୀମା । ଏନେଇ ଜଣେ ବରିଷ୍ଠ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳ ସମୟରେ ଜାଗରଗୁଣ୍ଡା ଏବଂ କୁଣ୍ଡେଡରେ ଡିଆରଜି ଟିମ ସର୍ଚ୍ଚ ଅପେରସନ କରୁଥିବା ବେଳେ ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ଆରମ୍ଭ ହୋଇଥିଲା । ଶେଷରେ ନକ୍ସଲଙ୍କ ଗୁଳିରେ 3 ସୁରକ୍ଷାକର୍ମୀ ଶହୀଦ ହୋଇଥିଲେ । ଏନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।
ଗତ 21 ତାରିଖରେ ଜଣେ ହେଡ କନେଷ୍ଟବଳଙ୍କୁ ଘରେ ପଶି ହତ୍ୟା କରିଥିଲେ ନକ୍ସଲ । ବିଜାପୁର ଜିଲ୍ଲା ଭୈରମଗଡ ପୋଲିସ ଷ୍ଟେସନ ଅନ୍ତର୍ଗତ କାଦେନାର ଠାରେ ପୋଲିସ କର୍ମୀଙ୍କୁ ହତ୍ୟା କରାଯାଇଥିଲା । ହତ୍ୟା କରାଯାଇଥିବା ହେଡ କନେଷ୍ଟବଳ ହେଉଛନ୍ତି ପିଣ୍ଡିରାମ ଭେଟି । ସେ ତାଙ୍କ ଭାଇଙ୍କ ବିବାହ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ କାଦେନାର ଗ୍ରାମକୁ ଯାଇ ଫେରୁଥିବା ବେଳେ ନକ୍ଲ ମାନେ ତାଙ୍କୁ ଗଳାକାଟି ହତ୍ୟା କରିଥିଲେ।