ନୂଆଦିଲ୍ଲୀ:ନିକଟରେ କଂଗ୍ରେସରୁ ଇସ୍ତଫା ଦେଇଥିବା ବରିଷ୍ଠ ନେତା ଗୁଲାମ ନବୀ ଆଜାଦ (Ghulam Nabi Azad) ଙ୍କୁ ନେଇ ଚର୍ଚ୍ଚା ବଢିବାରେ ଲାଗିଛି । ନୂଆ ଦଳ ଗଠନ କରିବାକୁ ଘୋଷଣା କରିଥିବା ଆଜାଦଙ୍କୁ ନେଇ ଭିନ୍ନ ଚର୍ଚ୍ଚା ଲାଗିରହିଛି । କ୍ରମାଗତ ଭାବେ କଂଗ୍ରେସ ଓ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିବାରେ ଲାଗିଛନ୍ତି ଆଜାଦ । ଆଜି ଏହାରି ମଧ୍ୟରେ ଜି-23 ର 3ଜଣ ନେତା ଆଜାଦଙ୍କୁ ତାଙ୍କ ନୂଆଦିଲ୍ଲୀ ସ୍ଥିତ ବାସଭବନରେ ସାକ୍ଷାତ କରିଛନ୍ତି । ତେବେ ସେ ଆସନ୍ତା ସେପ୍ଟେମ୍ବର 4ରେ ଜମ୍ମୁରେ ପ୍ରଥମ ସାଧାରଣ ସଭା କରିବେ ବୋଲି ସୂଚନା ମିଳିଛି ।
ମହାରାଷ୍ଟ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ପୃଥିବୀରାଜ ଚୌହାନ, ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ହୁଡା ଓ ବରିଷ୍ଠ ନେତା ଆନନ୍ଦ ଶର୍ମା ଆଜାଦଙ୍କୁ ତାଙ୍କୁ ଦିଲ୍ଲୀ ସ୍ଥିତ ବାସଭନରରେ ଭେଟି ଆଲୋଚନା କରିଛନ୍ତି । ଶୁକ୍ରବାର ଏକାଧିକ ଅଭିଯୋଗ ସହ କଂଗ୍ରେସରୁ ଦୀର୍ଘବର୍ଷର ସମ୍ପର୍କ ଛିନ୍ନ କରିଥିଲେ ଆଜାଦ । ସେ ନିଜ ଇସ୍ତଫା ପତ୍ରରେ ରାହୁଲ ଗାନ୍ଧୀଙ୍କ ଅପରିପକ୍ବ ନେତୃତ୍ବ ସାଙ୍ଗକୁ ଅନ୍ୟ କିଛି ଗମ୍ଭୀର ଅଭିଯୋଗ ମଧ୍ୟ ଆଣଥିଲେ । ପରେ ସେ ଦଳ ଛାଡିବା ପରେ ନୂତନ ଦଳ ଗଠନ କରିବାକୁ ମଧ୍ୟ ଘୋଷଣା କରିଥିଲେ ।
ସେ ଖୁବଶୀଘ୍ର ଏକ ଜାତୀୟ ଦଳ ଗଠନ କରିବାକୁ ଯାଉଛନ୍ତି ଓ ନିକଟରେ ହେବାକୁ ଥିବା କାଶ୍ମୀର ନିର୍ବାଚନରେ ମଧ୍ୟ ଅଂଶଗ୍ରହଣ କରିବା ନେଇ ସ୍ପଷ୍ଟ କରିସାରିଛନ୍ତି । ଏନେଇ ସେ ସ୍ଥାନୀୟ କାଶ୍ମୀରର ବିଭିନ୍ନ ନିର୍ବାଚିତ ଜନ ପ୍ରତିନିଧି ଓ ଅନ୍ୟ କାର୍ଯ୍ୟକର୍ତ୍ତାଙ୍କ ସହ ମଧ୍ୟ ଆଲୋଚନା ପ୍ରକ୍ରିୟା ଆରମ୍ଭ କରି ସାରିଛନ୍ତି । ଏପରି ସ୍ଥଳେ ଆଜାଦଙ୍କ ନୂତନ ଦଳକୁ ଚର୍ଚ୍ଚା ଲାଗି ରହିଥିବା ବେଳେ ଆଜି ଜି-23 ର 3 ବରିଷ୍ଠ ନେତା ତାଙ୍କୁ ବାସଭବନରେ ଭେଟି ସାକ୍ଷାତ କରିବା ପୁଣି ଭିନ୍ନ ଚର୍ଚ୍ଚାକୁ ଜନ୍ମ ଦେଇଛି । ଅନ୍ୟପଟେ ଆଜି ଆଜାଦଙ୍କ ସମର୍ଥନରେ କଂଗ୍ରେସର ପ୍ରାୟ 64 ନେତା ଦଳରୁ ଇସ୍ତଫା ଦେଇଛନ୍ତି । ଏହି ତାଲିକାରେ ଜମ୍ମୁ କାଶ୍ମୀର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତାରାଚାନ୍ଦ ମଧ୍ୟ ରହିଛନ୍ତି ।