ନୂଆଦିଲ୍ଲୀ: ଟୀକାକରଣ ଓ କୋରୋନା ସଂକ୍ରମଣକୁ ନେଇ ପ୍ରାଥମିକ ରିପୋର୍ଟ ଜାରି କରିଛି ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ(ICMR) । ଏହି ରିପୋର୍ଟ ଅନୁଯାୟୀ, ଯେଉଁମାନେ କୋରୋନା ଟୀକାର 2ଟି ଡୋଜ ନେଇସାରିଛନ୍ତି, ସେମାନଙ୍କ ଠାରେ 67 ପ୍ରତିଶତ ସଂକ୍ରମଣ ହାର କମ ଥିବା ଜଣାପଡିଛି ।
ରିପୋର୍ଟରେ କୁହାଯାଇଛି ଯେ ସଂକ୍ରମିତ ବ୍ୟକ୍ତିଙ୍କ ମଧ୍ୟରୁ କେବଳ 17 ପ୍ରତିଶତଙ୍କ ଠାରେ କୌଣସି ଲକ୍ଷଣ ନଥିଲା । ଅନ୍ୟପକ୍ଷେ ମାତ୍ର 10 ପ୍ରତିଶତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡିଥିଲା ।
ଭ୍ୟାକ୍ସିନ ଲଗାଇବା ପରେ କୋରୋନା ହେବାର ଆଶଙ୍କା କମ ରହିଛି । ଆଉ ଯେଉଁ 27 ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଏଥିମଧ୍ୟରୁ କେବଳ ଜଣେ ରୋଗୀର ମୃତ୍ୟୁ ମାମଲା ସାମ୍ନାକୁ ଆସିଛି । କୋଭିଡ ବିରୋଧରେ ଲଢେଇ ପାଇଁ ଭ୍ୟାକ୍ସିନ ବେଶ ପ୍ରଭାବଶାଳୀ ବୋଲି ଆଇସିଏମଆର ରିପୋର୍ଟରୁ ସ୍ପଷ୍ଟ ହୋଇଛି ।
ଓଡିଶାର ଭିନ୍ନଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରରୁ 361 ଜଣଙ୍କ ନମୁନା ସଂଗ୍ରହ କରାଯାଇଥିଲା । ଏଥିମଧ୍ୟରୁ ଅଧିକାଂଶ କୋରୋନାର ଉଭୟ ଡୋଜ ନେଇସାରିଛନ୍ତି । ଭୁବନେଶ୍ବରର ଆଇସିଏମଆର ଲ୍ୟାବକୁ ଯାଞ୍ଚ ପାଇଁ ପଠାଯାଇଥିବା ନମୁନାରୁ 274 ଜଣଙ୍କ କୋଭିଡ ରିପୋର୍ଟ ପଜିଟିଭ ଆସିଥିଲା । ଭ୍ୟାକ୍ସିନର ଉଭୟ ଡୋଜ ଲଗାଇବାର 14 ଦିନ ପରେ ଆଣ୍ଟିବଡି ସୃଷ୍ଟି ଆରମ୍ଭ ହୋଇଥିଲା ।