ପାଟନା:ବିବାଦୀୟ ବୟାନର ସମସ୍ତ ସୀମା ଟପି ଯାଇଛନ୍ତି RJD ବିହାର ପ୍ରଦେଶ ମୁଖ୍ୟ ଜଗଦାନନ୍ଦ ସିଂ । ବିଜେପିକୁ ଟାର୍ଗେଟ କରିବାକୁ ଯାଇ ଜଗଦାନନ୍ଦ ସରକାରଙ୍କ ଦ୍ବାରା ପ୍ରତିବନ୍ଧିତ ଚରମପନ୍ଥୀ ଇସଲାମିକ ସଂଗଠନ PFI କୁ RSS ସହ ସମାନ ସଂଗଠନ ବୋଲି କହିଛନ୍ତି । ଜଗଦାନନ୍ଦ କହିଛନ୍ତି, ଉଭୟ ସଂଗଠନ ସମାନ ଉଦ୍ଦେଶ୍ୟ ପାଇଁ ସଞ୍ଚାଳିତ ହେଉଛନ୍ତି । ବିଜେପିର ମୂଳ ଆଦର୍ଶବାଦୀ ସଂଗଠନ ରାଷ୍ଟ୍ରୀୟ ସ୍ବଂୟ ସେବକ ସଂଘ (RSS) ଓ ଚରମପନ୍ଥୀ ଇସଲାମ ସଂଗଠନ ପପୁଲାର ଫ୍ରଣ୍ଟ ଅଫ ଅଣ୍ଡିଆ (PFI) ମଧ୍ୟରେ କୌଣସି ଫରକ ନାହିଁ । ଉଭୟ ସଂଗଠନ ସେମାନଙ୍କ ସମ୍ପ୍ରଦାୟର ରକ୍ଷା କରିବା ପାଇଁ ପ୍ରତିଷ୍ଠିତ ଓ ସଞ୍ଚାଳିତ ହେଉଛନ୍ତି ବୋଲି କହିଛନ୍ତି ଜଗଦାନନ୍ଦ ।
ଜାତୀୟ ଖବର ସରବରାହ ସଂସ୍ଥା ଏଏନଆଇକୁ ସାକ୍ଷାତକାର ଦେଇ ଜଗଦାନନ୍ଦ କହିଛନ୍ତି, ଉଭୟ ସଂସ୍ଥାର ଆଭିମୁଖ୍ୟ ଏକ । କିନ୍ତୁ PFIକୁ ରାଷ୍ଟ୍ର ବିରୋଧୀ ବୋଲି ଆଖ୍ୟା ପ୍ରଦାନ କରାଯାଉଛି । ଅନ୍ୟପଟେ ସେ ସ୍ବଂୟ ସେବକ ସଂଘକୁ ଟାର୍ଗେଟ କରିବାକୁ ଯାଇ ସେ ଅନ୍ୟ ଏକ ସଙ୍ଗୀନ ଅଭିଯୋଗ ମଧ୍ୟ କରିଛନ୍ତି । ପାକିସ୍ତାନୀ ଏଜେଣ୍ଟ ଭାବେ ଯେଉଁମାନେ ସୁରକ୍ଷା ବଳ ଦ୍ବାରା ଗିରଫ ହେଉଛନ୍ତି, ସେମାନେ ସମସ୍ତେ ହିନ୍ଦୁ । ସେମାନଙ୍କ ସମ୍ପର୍କ ହିନ୍ଦୁ ସମାଜ ଓ ସଂଘ ପରିବାର ସହ ଜଡିତ ରହିଥିବା ମଧ୍ୟ ଅଭିଯୋଗ କରିଛନ୍ତି ଜଗଦାନନ୍ଦ ।