ଚଣ୍ଡିଗଡ:ପଞ୍ଜାବର ସ୍ବର୍ଣ୍ଣ ମନ୍ଦିରରେ ପୁଣି ଶୁଭିଲା ବିସ୍ଫୋରଣ । ଗତକାଲି(ବୁଧବାର) ବିଳମ୍ବିତ ରାତି ପ୍ରାୟ ୧ଟା ସମୟରେ ସ୍ବର୍ଣ୍ଣ ମନ୍ଦିର ନିକଟରେ ଆଉ ଏକ ବିସ୍ଫୋରଣ ହୋଇଛି । ଶ୍ରୀଗୁରୁ ରାମଦାସ ସରା କରିଡର ବାହାରେ ବିସ୍ଫୋରଣ ଘଟିଥିବାର ସୂଚନା ମିଳିଛି । ଖବର ପାଇ ଶିରୋମଣି କମିଟି ଏବଂ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ପଞ୍ଜାବ ପୋଲିସ କମିଶନର ନୌନିଆଲ ସିଂହ ମଧ୍ୟ ବିସ୍ଫୋରଣ ସ୍ଥଳକୁ ଯାଇ ଅନୁଧ୍ୟାନ କରିଛନ୍ତି । ତେବେ ବିସ୍ଫୋରଣ ହୋଇଥିବା ସ୍ଥାନରୁ ଗୋଟିଏ ଚିଠି ମିଳିଥିବାର ଜଣାପଡିଛି । ପୋଲିସ ଉକ୍ତ ଚିଠିକୁ ଜବତ କରିଛି । ଏହି ଘଟଣାରେ ପୋଲିସ 5ଜଣଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ବୋମା ଭଳି କିଛି ସନ୍ଦିଗ୍ଧ ସାମଗ୍ରୀ ମିଳିଥିବାର କୁହାଯାଉଛି ।
ଯାହା ସୂଚନା ମିଳିଛି, ରାତି ପ୍ରାୟ ୧ଟା ସମୟରେ ସ୍ବର୍ଣ୍ଣ ମନ୍ଦିରରେ ପ୍ରଚଣ୍ଡ ବିସ୍ଫୋରଣ ଶବ୍ଦ ଶୁଭିଥିଲା । ଏହା ଶୁଣି ମନ୍ଦିର ଆଖପାଖ ହୋଟେଲରେ ରହୁଥିବା ପର୍ଯ୍ୟଟକ ଭୟରେ ବାହାରକୁ ଚାଲି ଆସିଥିଲେ । ଲୋକମାନେ ଚକିତ ଓ ଭୟଭୀତ ହୋଇଯାଇଥିବା ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି । ସ୍ବର୍ଣ୍ଣ ମନ୍ଦିରର ଶ୍ରୀଗୁରୁ ରାମଦାସ ସରା କରିଡର ନିକଟରେ ଏହି ବିସ୍ଫୋରଣ ହୋଇଥିଲା । ତେବେ ଏ ଯାଏଁ ବିସ୍ଫୋରଣର କାରଣ ସ୍ପଷ୍ଟ ହୋଇନାହିଁ । ଏହାକୁ ମିଶାଇ ତୃତୀୟ ଥର ସ୍ବର୍ଣ୍ଣ ମନ୍ଦିରରେ ବିସ୍ଫୋରଣ ହୋଇଛି । ଏହି ଘଟଣା ପରେ ସ୍ବର୍ଣ୍ଣ ମନ୍ଦିର ପରିସରରେ ଆତଙ୍କ ଖେଳି ଯାଇଛି । ପୋଲିସ ସମେତ ଫରେନସିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରୁଛନ୍ତି । ଏନେଇ ତଦନ୍ତ ଜାରି ରହିଛି ।