ନୂଆଦିଲ୍ଲୀ: ଭାରତରେ ସୁନାମି ଭଳି ମାଡି ଚାଲିଛି ମହାମାରୀ । ଜାନୁୟାରୀ ୨୩ ତାରିଖରେ ତୃତୀୟ ଲହର ଶୀର୍ଷ ଛୁଇଁପାରେ । ବର୍ତ୍ତମାନ ଦେଶରେ ତିନି ଲକ୍ଷ ଉପରେ ଦୈନିକ ସଂକ୍ରମଣ ରହିଛି । ଯାହା ଆଗାମୀ ଦିନରେ ଅର୍ଥାତ୍ ପିକ୍ ସମୟରେ ପାଖାପାଖି ୪ ଲକ୍ଷ ହେବ । ଆଇଆଇଟି କାନପୁରର 'ସୂତ୍ର କୋଭିଡ ମଡେଲ' ଉପରେ କାର୍ଯ୍ୟ କରୁଥିବା ପ୍ରଫେସର ମନିନ୍ଦ୍ର ଅଗ୍ରୱାଲ ଏହି ଆକଳନ କରିଛନ୍ତି । ବିଗତ ସାତ ଦିନ ମଧ୍ୟରେ ଦିଲ୍ଲୀ, ମୁମ୍ବାଇ ଏବଂ କୋଲକାତାରେ ସଂକ୍ରମଣ ମାମଲା ଚରମ ସୀମାରେ ପହଞ୍ଚି ଯାଇଛି ।
ମହାମାରୀ ଆରମ୍ଭରୁ ଦେଶରେ କୋଭିଡ ମାମଲା ସମ୍ପର୍କରେ ଜାଣିବା ଏବଂ ଏ ସମ୍ବନ୍ଧରେ ଆକଳନ କରିବା ପାଇଁ 'ସୂତ୍ର କୋଭିଡ ମେଡଲର ଉପଯୋଗ' କରାଯାଇଛି । ଅଗ୍ରୱାଲଙ୍କ କହିବା ଅନୁସାରେ ଏହି ସପ୍ତାହରେ ମହାରାଷ୍ଟ୍ର, କର୍ଣ୍ଣାଟକ, ଉତ୍ତରପ୍ରଦେଶ, ଗୁଜୁରାଟ ଏବଂ ହରିୟାଣାରେ କୋଭିଡ-୧୯ ମାମଲା ଶୀର୍ଷରେ ରହିଛି, ଯେତେବେଳେ କି ଆନ୍ଧ୍ରପ୍ରଦେଶ, ଆସାମ ଏବଂ ତାମିଲନାଡୁ ଭଳି ରାଜ୍ୟରେ ଆସନ୍ତା ସପ୍ତାହରେ ଏହା ଚରମ ସୀମାରେ ପହଞ୍ଚିବାର ସମ୍ଭାବନା ଅଛି । ଜାନୁୟାରୀ ୨୩ରେ ସଂକ୍ରମଣ ପିକ୍ରେ ପହଞ୍ଚିବା ନେଇ ଆଶଙ୍କା କରାଯାଇଛି । ଏହି ସମୟରେ ଦୈନିକ ପଜିଟିଭ ମାମଲା ପାଖାପାଖି ୪ ଲକ୍ଷ ରହିପାରେ । କୋଭିଡର ତୃତୀୟ ଲହର ଜାନୁୟାରୀ ଶେଷରେ ଶୀର୍ଷ ଛୁଇଁବ ବୋଲି ଅଗ୍ରୱାଲ ପୂର୍ବରୁ ଅନୁମାନ କରିଥିଲେ ।