ଭୋପାଳ:ଚୋର ଫେରାଇଲା ଚୋରି ସାମଗ୍ରୀ । ମନ୍ଦିରରୁ ଚୋରି କରିବା ପରେ ପଶ୍ଚାତାପ କଲା ଚୋର । ଚୋରି ଜିନିଷକୁ ଫେରାଇବା ପରେ ଏଥି ପାଇଁ ଅନୁତାପ କରୁଥିବାରୁ ଏକ ଚିଠି ମାଧ୍ୟମରେ ଜଣାଇଛି ମନ୍ଦିରରୁ ଚୋରି କରିଥିବା ଦୁର୍ବୃତ୍ତ ଜଣଙ୍କ(Thief returns valuables stolen from temple with apology note) । ଏଭଳି ଘଟଣା ଘଟିଛି ମଧ୍ୟପ୍ରଦେଶର ବାଲଘାଟ ଜିଲ୍ଲାରେ ।
ଘଟଣାଟି ଥିଲା ଏମିତି
ଗତ ଅକ୍ଟୋବର ୨୪ ତାରିଖରେ ବାଲଘାଟ ଜିଲ୍ଲାର ଶାନ୍ତିନାଥ ଦିଗାମ୍ବର ଜୈନ ମନ୍ଦିରରୁ ଚୋରି ହୋଇଥିଲା । କେହି ଦୁର୍ବୃତ୍ତ ମନ୍ଦିର ମଧ୍ୟରେ ପ୍ରବେଶ କରି ଭଗବାନଙ୍କ ରୂପା ଓ ପିତ୍ତଳ ସାମଗ୍ରୀ ଚୋରି କରିନେଇଥିଲା । ସେଥି ମଧ୍ୟରେ ମନ୍ଦିର ସାଜସଜ୍ଜା ପାଇଁ ୧୦ଟି ରୂପା ଜିନିଷ ଓ ତିନୋଟି ପିତ୍ତଳ ସାଜସଜ୍ଜା ଜିନିଷ ରହିଥିଲା । ତେବେ ମନ୍ଦିରରୁ ଭଗବାନଙ୍କ ରୂପା ଓ ପିତ୍ତଳ ଚୋରି କରିବା ପରେ ଦୁର୍ବୃତ୍ତ ଜଣଙ୍କ ଅନୁତାପ କରି ଏଗୁଡିକ ଫେରାଇବା ପାଇଁ ଚିନ୍ତା କଲା । ତେଣୁ ସମସ୍ତ ଚୋରି ସାମଗ୍ରୀକୁ ଏକ ବ୍ୟାଗରେ ଭର୍ତ୍ତି କରି ଲାମଟା ସ୍ଥିତ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରଖି ଦେଇଥିଲା ଚୋର ଜଣଙ୍କ, ଏଥି ସହ ଏକ ଚିଠି ମଧ୍ୟ ରଖିଥିଲା । ମନ୍ଦିରରୁ ଚୋରି କରିଥିବା ଦୁର୍ବୃତ୍ତ ଜଣଙ୍କ ଏହି ଚିଠି ମାଧ୍ୟମରେ ଅନୁତାପ କରୁଥିବା ନେଇ ଜଣାଇଛି ।